ନୂଆଦିଲ୍ଲୀ: ଚୀନର ଲଙ୍ଗୟାନରେ ଏକ ଅଜବ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳା ଓ ନାକ ପୁଡ଼ାରୁ ଡାକ୍ତର ଦୁଇଟି ଜୋକ ବାହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାରମ୍ବାର କାଶ ହେବା ସହ ରକ୍ତ ପଡ଼ୁଥିବାରୁ ଦୁଇ ମାସ ପରେ ଯୁବକଜଣଙ୍କ ଡାକ୍ତରଙ୍କୁ ଦେଖାଇବା ପାଇଁ ଚିନ୍ତା କରିଥିଲେ। ଯାହା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ସିଟି ସ୍କାନ କରିବା ପରେ ଭିତରେ କିଛି ଥିବା କଥା ଡାକ୍ତର ଜାଣି ପାରି ନଥିଲେ। କିନ୍ତୁ ପରେ ତାଙ୍କର ବ୍ରୋଙ୍କୋସ୍କୋପି କରାଯିବା ପରେ ଭିତରେ ଦୁଇଟି ଜୋକ ଥିବା କଥା ସାମ୍ନାକୁ ଆସିଥିଲା। ଗୋଟେ ଯୁବକଙ୍କ ଗଳାରେ ଥିବା ସହ ଆଉ ଗୋଟେ ତାଙ୍କ ନାକ ପୁଡ଼ାରେ ଥିବା ଜାଣି ଚିମୁଟା ଜରିଆରେ ଦୁଇଟି ଜୋକକୁ ବାହାରକୁ ବାହାର କରାଯାଇଥିଲା।

ଡାକ୍ତରଙ୍କ ଅନୁଯାୟୀ, ଯୁବକଜଣଙ୍କ ଜଙ୍ଗଲ ପରିବେଶରେ କାମ କରୁଥିଲେ, ଯାହା ପାଇଁ ଏଭଳି ହୋଇଥିବାର ଆଶଙ୍କା କରାଯାଉଛି। ପର୍ବତରୁ ବୋହୁଥିବା ଝରଣା ପାଣିକୁ ପିଇବା ସମୟରେ ଏହି ଦୁଇ ଜୋକ ତାଙ୍କ ଶରୀର ଭିତରକୁ ଯିବା ପରେ ଯୁବକଙ୍କ ରକ୍ତ ଶୋଷିବା ସହ ତାଙ୍କ ଶରୀରରେ ବଢ଼ିବା ଆରମ୍ଭ କରିଥିଲେ। ଧିରେ ଧିରେ ବଡ଼ ହେବା ପରେ ଯୁବକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହ କାଶ ଆରମ୍ଭ ହୋଇଥିଲା। ଦୁଇ ମାସ ଏପରି ହେବା ପରେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ଏବେ ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି ଏବଂ ଧିରେ ଧିରେ ସେ ସୁସ୍ଥ ହେବାରେ ଲାଗିଛନ୍ତି।