ନୂଆଦିଲ୍ଲୀ: ଦିଲ୍ଲୀରେ ଡାକ୍ତର ଜଣେ ୮ବର୍ଷର ବାଳିକାଙ୍କ ଜୀବନ ବଞ୍ଚାଇଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବାଳିକା ଜଣକ କୌଣସି ରୋଗରେ ପୀଡ଼ିତ ନଥିଲେ। ବରଂ ତାଙ୍କ ଫୁସଫୁସରେ ଏକ ଚକୋଲେଟ ଜରି ଅଟକି ଯାଇଥିଲା। ଏହି କାରଣରୁ ତାଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା।

Advertisment

ସୂଚନାଯୋଗ୍ୟ, ୮ବର୍ଷର ବାଳିକା ପରୀ ସୋଲାଙ୍କି ଗତ ଦୁଇ ସପ୍ତାହ ହେବ କ୍ରମାଗତ ଭାବେ କାଶ ହେବା ସହିତ ଜ୍ବର ହୋଇଥିଲା। ଘରଲୋକ ଝିଅକୁ ନିମୋନିଆ ହୋଇଛି ବୋଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ।  ଚିକିତ୍ସା ପରେ ଝିଅର କ’ଣ ହୋଇଛି ସଠିକ ଭାବେ ଜଣାପଡ଼ି ନଥିଲା। ଏହାପ‌ରେ ଝିଅର ସିଟି ସ୍କାନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିରୁ ବି କିଛି ସ୍ପଷ୍ଟ ହୋଇ ପାରି ନଥିଲା। ଦିନକୁ ଦିନ ବାଳିକାର ଯନ୍ତ୍ରଣା ବଢ଼ି ଚାଲିଥିଲା।

ବିଭିନ୍ନ ଯାଞ୍ଚ ପ‌ରେ ଶେଷରେ ଡାକ୍ତର ବ୍ରୋକୋସ୍କୋପି କରିବା ପରେ ବାଳିକ‌ାର ଫୁସଫୁସରେ କିଛିଥିବା ଚିହ୍ନଟ କରିଥିଲେ। ଏହାପରେ ଅସ୍ତ୍ରୋପଚାର କରି ବାଳିକାର ଫୁସଫୁସରୁ ଚକୋଲେଟ ଜରି ବାହାର କରିଥିଲେ ଡାକ୍ତର।

ଅସ୍ତ୍ରୋପଚାର ପରେ ସୁସ୍ଥ ଅନୁଭବ କରୁଥିବା ପରୀ କହିଛନ୍ତି, ‘ଚକୋଲେଟ ଖାଉଖାଉ ଏହାର ଜରି କିପରି ମୋ ଶରୀର ଭିତରକୁ ଚାଲି ଯାଇଥିଲା ମୁଁ ଜାଣି ପାରି ନାହିଁ। କିନ୍ତୁ ମୋତେ ବହୁତ ଯନ୍ତ୍ରଣା ହୋଇଥିଲା। ଏବେ ଚିକିତ୍ସା ପରେ ସୁସ୍ଥ ଅନୁଭବ କରୁଛି।’