ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳରେ ଯଥୋଚିତ ସୁରକ୍ଷା ବାତାବରଣ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତିଶ୍ରୁତି ପରେ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ ଗୁରୁବାର ଧର୍ମଘଟ ପ୍ରତ୍ୟାହାର କରିଛନ୍ତି। କୋଲାକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଡାକ୍ତରମାନେ ଗତ ୧୧ ଦିନ ଧରି ଧର୍ମଘଟ କରିଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ ଏବଂ କାମକୁ ଫେରିବା ପରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି- ‘ଆର୍‌ଜି କର ହସ୍ପିଟାଲରେ ଘଟିଥିବା ଭୟାନକ କାଣ୍ଡ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପ୍ରତିଶ୍ରୁତି ଏବଂ ହସ୍ତକ୍ଷେପ ଏବଂ ଡାକ୍ତରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ପରେ ଆମେ କାମକୁ ଫେରୁଛୁ। ଆମେ ଅଦାଲତଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛୁ ଏବଂ ଏହାର ନିର୍ଦ୍ଦେଶପାଳନ କରିବାକୁ ଆହ୍ୱାନ କରୁଛୁ । ରୋଗୀଙ୍କ ଯତ୍ନ ନେବା ଆମର ସର୍ବୋଚ୍ଚ ପ୍ରାଥମିକତା।’

Advertisment

ତେବେ ପଶ୍ଚିମବଙ୍ଗରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି । କୋଲକାତାର ଆର୍‌ଜି କର ହସ୍ପିଟାଲରେ ନିଜ ସହକର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ପଶ୍ଚିମବଙ୍ଗର ଡାକ୍ତରମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ ଦିଲ୍ଲୀ ଏମ୍ସ ଭଳି ଆନ୍ଦୋଳନ ପ୍ରତ୍ୟାହାର କରିବ ନାହିଁ ବୋଲି କହିଛି।
ଗୁରୁବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି କରିଥିଲେ। ଅଗଷ୍ଟ ୯ ତାରିଖରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ପରେ ଦେଶର ବିଭିନ୍ନ ହସ୍ପିଟାଲରେ ରୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଖଣ୍ଡପୀଠ ତରଫରୁ ଡାକ୍ତରଙ୍କୁ ଭାବପ୍ରବଣ ନିବେଦନ କରି କହିଥିଲେ ଯେ ‘ନ୍ୟାୟ ଓ ଔଷଧ’ ଧର୍ମଘଟ କରିପାରିବେ ନାହିଁ। ଏବେ ଆମେ ସୁପ୍ରିମ୍‌କୋର୍ଟ ବାହାରେ ଆନ୍ଦୋଳନରେ ବସିପାରିବୁ କି? ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ।

ଅପରାଧ ଘୋଡ଼ାଇବାପାଇଁ ଚେଷ୍ଟା ହୋଇଥିଲା
ଅପରାଧ ସ୍ଥଳ ବଦଳାଯାଇଛି

ନୂଆଦିଲ୍ଲୀ: କୋଲକାତାରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ତଦନ୍ତ କରୁଥିବା ‌କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା‌ (ସିବିଆଇ) ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠରେ ଆଜି ଏହି ମାମଲାର ଦ୍ବିତୀୟ ଶୁଣାଣି ଥିଲା। ସିବିଆଇ ଏଯାବତ ଏହି ମାମଲାର ତଦନ୍ତ ପ୍ରକ୍ରିୟାରୁ ଅନେକ କିଛି ତ୍ରୁଟି ପାଇଛି। ସିବିଆଇ ସୁପ୍ରିମକୋର୍ଟରେ ଦେଇଥିବା ତଥ୍ୟ ଅନୁଯାୟୀ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଘୋଡ଼ାଇବା ପାଇଁ ଚେଷ୍ଟା କରାଯାଇଥିଲା ଏବଂ ଅପରାଧ ସ୍ଥଳ ସ୍ଥିତି ବି ବଦଳାଯାଇଛି ବୋଲି ସିବିଆଇ ଅଭିଯୋଗ କରିଛି। ସିବିଆଇ କହିଛି, ଘଟଣା ଘଟିବାର ପଞ୍ଚମ ଦିନରେ ଆମେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେଲୁ। ଏହା ପୂର୍ବରୁ ସ୍ଥାନୀୟ ପୁଲିସ ଦ୍ବାରା ସଂଗ୍ରହ ହୋଇଥିବା ପ୍ରମାଣ ଆମକୁ ଦିଆଯାଇଛି। ସିବିଆଇ କହିଛି ଉକ୍ତ ମାମଲାର ତଦନ୍ତ ପ୍ରକ୍ରିୟା ଅତ୍ୟନ୍ତ ଚ୍ୟାଲେଞ୍ଜିଂ କାରଣ ଅପରାଧ ସ୍ଥଳରେ ପରିବର୍ତ୍ତନ ହୋଇଛି। ରାତି ୧୧.୪୫ରେ ପୀଡ଼ିତା ଡାକ୍ତରଙ୍କ ଶବ ସଂସ୍କାର ପରେ ଏତଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଆଜି କୋର୍ଟରେ ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରତିନିଧିତ୍ବ କରିଥିବା କପିଲ ସିବଲ ମେହଟାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଅପରାଧ ସ୍ଥଳରୁ ସବୁକିଛି ଭିଡିଓ ରେକର୍ଡ କରାଯାଇଛି ଏବଂ ଏଥିରେ କୌଣସି ପ୍ରକାର ‌ହେରଫେର ହୋଇନାହିଁ। ସିବଲ ପୁଣିଥରେ ମାମଲାରେ ତଦନ୍ତ କେତେବାଟ ଗଲା ବୋଲି ସିବିଆଇକୁ ପ୍ରଶ୍ନ କରିଛନ୍ତି।