ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ଏଚ୍‌ସିୟୁ)ର ଏକ ଛାତ୍ରଗୋଷ୍ଠୀ ସୋମବାର ବିଶ୍ବବିଦ୍ୟାଳୟ ପରିସରରେ ବିବିସି ଦ୍ବାରା ପ୍ରସ୍ତୁତ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଡକୁମେଣ୍ଟାରି ପ୍ରଦର୍ଶନ କରିଛନ୍ତି। ଷ୍ଟୁଡେଣ୍ଟ ଇସଲାମିକ୍ ଅର୍ଗାନାଇଜେସନ (ଏସ୍‌ଆଇଓ) ଏବଂ ମୁସଲିମ୍ ଷ୍ଟୁଡେଣ୍ଟ ଫେଡ଼େରେସନ କ୍ୟାମ୍ପସରେ ଏହି ଡକୁମେଣ୍ଟାରି ପ୍ରଦର୍ଶନର ବ୍ୟବସ୍ଥା କରିଥିଲେ। ଏଥିରେ ଦର୍ଶକଙ୍କ ଭିତରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Advertisment

ଏବିଭିପି ଛାତ୍ରନେତା ମହେଶ କହିଛନ୍ତି, ସେମାନେ ଏ ବିଷୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ଏବଂ ସଂଗଠକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି କରିଛନ୍ତି। ଉକ୍ତ ଛାତ୍ରଗୋଷ୍ଠୀ ବିଶ୍ବବିଦ୍ୟାଳୟ ପରିସରରେ ବିନା ଅନୁମତିରେ ଡକୁମେଣ୍ଟାରି ପ୍ରଦର୍ଶନର ଆୟୋଜନ କରିଥିବାରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏବିଭିପି ଦାବି କରିଛି। ଅନ୍ୟପକ୍ଷରେ ପୁଲିସ କହିଛି, ସେମାନେ ସୂଚନା ପାଇଛନ୍ତି, କିନ୍ତୁ କୌଣସି ଲିଖିତ ଅଭିଯୋଗ ମିଳିନାହିଁ। ଯଦି ଲିଖିତ ଅଭିଯୋଗ ମିଳେ ତେବେ ସେମାନେ ତଦନ୍ତ କରିବେ।

ଅନ୍ୟପକ୍ଷରେ ଜେଏନ୍‌ୟୁରେ ମଧ୍ୟ ବିଜେପି ବି‌େରାଧୀ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଏହି ସିରିଜ ପ୍ରଦର୍ଶନ କରାଯିବାକୁ ଆଜି ରାତିରେ ଯୋଜନା ହୋଇଥିବାରୁ ଛାତ୍ରସଂଘ କାର୍ଯ୍ୟାଳୟର ବିଦ୍ୟୁତ୍‌ ଓ ଇଣ୍ଟରନେଟ୍‌ ସଂଯୋଗକୁ କର୍ତ୍ତୃପକ୍ଷ ଚ୍ଛିନ୍ନ କରିଛନ୍ତି। କର୍ତ୍ତୃପକ୍ଷଙ୍କ କଡ଼ା ଚେତାବନୀ ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ଜେଏନ୍‌ୟୁ ଛାତ୍ର ସଂଘ ରାଜି ନ ହେବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ କ୍ୟାମ୍ପସରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମିତ ଏହି ଡକୁମେଣ୍ଟାରି ପ୍ରଦର୍ଶନକୁ ଭାରତରେ ନିଷିଦ୍ଧ କରାଯାଇଛି। ଜି-୨୦ର ଅଧ୍ୟକ୍ଷତା କରୁଥିବା ଭାରତକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି ।