ବେଜିଂ: ଚୀନ୍ର ସିଂଜିୟାଙ୍ଗ୍ ପ୍ରଦେଶରେ ଉଇଘର ମୁସ୍ଲିମଙ୍କ ପାଇଁ ଉଦ୍ଦିଷ୍ଟ ଅବରୋଧ ଶିବିର (ଜେଲ୍)ଗୁଡ଼ିକରେ ଅତ୍ୟନ୍ତ ଅମାନୁଷିକ ନିର୍ଯାତନା ସଂକ୍ରାନ୍ତ ଦସ୍ତାବିଜ ଲିକ୍ ହୋଇଛି। ୧୦ ଲକ୍ଷରୁ ଅଧିକ ଉଇଘର ଓ ଅନ୍ୟ ମୁସ୍ଲିମଙ୍କୁ ଶତାଧିକ ଜେଲ୍ରେ ରଖାଯାଇଥିବା ବେଳେ ସେଠାରେ ଗଣଦୁଷ୍କର୍ମ, ଅତି ବର୍ବର ଶାରିରୀକ ନିର୍ଯାତନା, ଅନ୍ତେବାସୀଙ୍କ ହାତ ଓ ପାଦରେ ବେଡ଼ି ପକାଇ ରଖାଯାଉଥିବା ନେଇ ତଥ୍ୟ ପ୍ରଘଟ ହୋଇଛି। ଉକ୍ତ ଶିବିରଗୁଡ଼ିକରୁ କେହି ଖସିବାକୁ ପ୍ରୟାସ କଲେ ତତ୍କ୍ଷଣାତ ଗୁଳିକରି ମାରି ଦିଆଯାଉଛି। ଲକ୍ଷାଧିକ ଲୋକଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଉଇଘର ଓ ଅନ୍ୟ ମୁସ୍ଲିମ ସଂପ୍ରଦାୟ ପ୍ରତି ଏଭଳି ଅତ୍ୟାଚାର ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଚୀନ୍ରେ ମାନବାଧିକାରର ଏଭଳି ଉଲ୍ଲଂଘନ ନେଇ ଜାତିସଂଘ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ। ଚୀନ୍ ନିଜସ୍ବ କେତେକ ଆଇନ ଆଳରେ ମାନବାଧିକାର ସଂଗଠନଗୁଡ଼ିକୁ ଉକ୍ତ କ୍ୟାମ୍ପ୍ ପରିଦର୍ଶନରେ ଯିବାକୁ ସୁଯୋଗ ଦେଉନାହିଁ। ତେବେ କ୍ୟାମ୍ପ୍ରେ ଚାଲିଥିବା ବର୍ବରତା ନେଇ ତଥ୍ୟ ପ୍ରଘଟ ହେବା ପରେ ଚୀନ୍ର ନିର୍ମମ ଆଚରଣ ଚର୍ଚ୍ଚାରେ ରହିଛି।
ଚୀନ୍ ସିଂଜିୟାଙ୍ଗ୍ ପ୍ରଦେଶରେ ମୁସ୍ଲିମମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସଂସ୍କାର ପଦକ୍ଷେପ ନେବା ଆଳରେ ଶହ ଶହ ବିଶାଳ ଅଟକ ଶିବିର ସ୍ଥାପନ କରିଛି। ଅତ୍ୟନ୍ତ କଡ଼ା ସୁରକ୍ଷା ଭିତରେ ଏହି ଶିବିରଗୁଡ଼ିକ ପରିଚାଳିତ ହେଉଛି ଏବଂ ମୁସ୍ଲିମ ସଂପ୍ରଦାୟର ଲୋକଙ୍କୁ ନିର୍ଦ୍ଦିଷ୍ଟ ଆଦର୍ଶ, ଚାଲିଚଳଣ ଓ ଦେଶପ୍ରେମ ଶିକ୍ଷା ଦିଆଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତି ସି ଜିନ୍ପିଙ୍ଗ ୨୦୧୮ରେ କହିଥିଲେ ଯେ ସିଂଜିୟାଙ୍ଗ୍ ପ୍ରଦେଶରେ ମୁସ୍ଲିମ ସଂପ୍ରଦାୟକୁ ଧାର୍ମିକ ଚରମପନ୍ଥୀ ହେବାରୁ ରୋକିବା ପାଇଁ ସରକାର ତାଲିମ କେନ୍ଦ୍ର ଖୋଲିଛନ୍ତି ଏବଂ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଏଭଳି କାର୍ଯ୍ୟକ୍ରମ ବିରୋଧରେ ଆମେରିକା ସ୍ବର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ଚୀନ୍ ଏହାକୁ ଭୃକ୍ଷେପ କରୁନାହିଁ।