ଶ୍ରୀନଗର: ଜମ୍ମୁ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ସେନା କ୍ୟାପଟେନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଡୋଡ଼ାର ଅସର ଅଞ୍ଚଳରେ ଶିବଗଡ଼-ଅସର ବେଲ୍ଟରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସେନାର ଏକ ମିଳିତ ଟିମ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ୍ ଅପରେସନ୍ କରିଥିଲେ। ପରେ ଏହି ସର୍ଚ୍ଚ ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେନାର ଜଣେ କ୍ୟାପଟେନ ସହିଦ ହୋଇଯାଇଛନ୍ତି। ସହିଦ କ୍ୟାପଟେନଙ୍କ ନାମ ଦୀପକ ସିଂହ। ସେ ସେନାର କର୍ପ୍ସ ସିଗନାଲ୍ସ ସହ ଜଡ଼ିତ।
ନିକଟରେ ସେ ୪୮ ରାଷ୍ଟ୍ରୀୟ ରାଇଫଲ୍ସକୁ ଡେପୁଟେସନ୍ରେ ଯାଇଥିଲେ। ଆତଙ୍କବାଦୀ ନିରୋଧ ଅପରେସନ୍ରେ ଏକ ସେନା କମ୍ପାନି ପାଇଁ ତାଙ୍କୁ ଫିଲ୍ଡ ମେଜର କରାଯାଇଥିଲା। ଡୋଡ଼ା ଏନକାଉଣ୍ଟର ସମେତ ଜମ୍ମୁ କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ ନିରୋଧ ଅପରେସନ୍ ସଂକ୍ରାନ୍ତରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରିଛନ୍ତି। ପାଟନିଟପ ନିକଟସ୍ଥ ଜଙ୍ଗଲରୁ ଆଜି ଆତଙ୍କବାଦୀମାନେ ଡୋଡ଼ାକୁ ପଶିଥିବା ଜଣାପଡ଼ିଛି। ଡୋଡ଼ା ଅଂଚଳରେ ମିଳିତ ସୁରକ୍ଷା ବାହିନୀର ବଡ଼ ଧରଣର କମ୍ବି ଅପରେସନ ଜାରି ରହିଛି।