ପେଟ୍ରୋଲିୟମ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା : ତୁମେ କ’ଣ ଭଗବାନ?

ନୂଆଦିଲ୍ଲୀ : ପେଟ୍ରୋଲିୟମ ମନ୍ତ୍ରାଳୟକୁ ଆଜି ସୁପି୍ରମକୋର୍ଟ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ତୁମେ କ’ଣ ଭଗବାନ ନା ସୁପର ସରକାର? ତୁମେ କ’ଣ ଭାବୁଛ ବିଚାରପତିମାନେ ତୁମ ଦୟାରେ ଅଛନ୍ତି। ଏକ ମାମଲାରେ ପଦକ୍ଷେପ ଗ୍ରହଣ କରିବାରେ ଅତ୍ୟଧିକି ବିଳମ୍ବ କରିଥିବାରୁ ମନ୍ତ୍ରାଳୟ ଉପରେ ସୁପ୍ରିମକୋର୍ଟ ଏଭଳି ବର୍ଷିଛନ୍ତି।

ଦିଲ୍ଲୀରେ ପରିବେଶ ପ୍ରଦୂଷଣ ସଂକ୍ରାନ୍ତ ଶୁଣାଣିବେଳେ ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପେଟ୍ରୋଲିୟମ ମନ୍ତ୍ରାଳୟର ଢିଲା ମନୋଭାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ମନ୍ତ୍ରାଳୟ ଉପରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି। ଜୁଲାଇ ୧୩ ସୁଦ୍ଧା ତାହାକୁ ପଇଠ ନକଲେ ଜରିମାନା ପରିମାଣ ଆହୁରି ବଢ଼ାଯିବ ବୋଲି ଚେତାବନୀ ଦେଇଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ, ମନ୍ତ୍ରାଳୟ କ’ଣ ଭଗବାନ? ସେମାନେ କ’ଣ ଯେତେବେଳେ ଚାହିଁବେ ସେତେବେଳେ ପ୍ରତିକ୍ରିୟା ଦେବେ? ସେମାନଙ୍କୁ କହିଦିଅ ନିଜ ନାମକୁ ମନ୍ତ୍ରାଳୟରୁ ବଦଳାଇ ଭଗବାନ କରି ଦିଅନ୍ତୁ। ମନ୍ତ୍ରାଳୟ କ’ଣ ଏକ ସୁପର ସରକାର ? ଏହା କ’ଣ ଭାରତ ସରକାରଙ୍କ ଉପରେ? ମନ୍ତ୍ରାଳୟର ସ୍ଥିତି କ’ଣ ତାହା ଆମକୁ ଜଣାଅ। ସେମାନେ କାହିଁକି କୌଣସି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକରେ ଇନ୍ଧନ ଭାବେ ବ୍ୟବହୃତ ପେଟ୍‌ କୋକ୍‌ର ଆମଦାନୀ ନିଷିଦ୍ଧ ଉପରେ ପେଟ୍ରୋଲିୟମ ମନ୍ତ୍ରାଳୟକୁ ନିଜର ପକ୍ଷ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ନିକଟରେ ରଖିବାକୁ କୋର୍ଟ କହିଥିଲେ। କିନ୍ତୁ କୋର୍ଟଙ୍କ କଥାକୁ ମନ୍ତ୍ରାଳୟ ଗୁରୁତ୍ୱ ଦେଇ ନଥିଲା। ଅତ୍ୟଧିକ ବିଳମ୍ବ କରି ଗତକାଲି ନିଜର ଜବାବ ରଖିଥିଲା। ଅତିରିକ୍ତ ସଲିସିଟର ଜେନେରାଲ ଏଏନଏସ ନନ୍ଦକର୍ଣ୍ଣୀ ମନ୍ତ୍ରାଳୟର ଏଭଳି ମନୋଭାବ ବିଷୟରେ ଆଜି କୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ଜାଣିବା ପରେ କୋର୍ଟ ଅତ୍ୟନ୍ତ ବିରକ୍ତ ହୋଇ ଏପ୍ରକାର ଟିପ୍ପଣୀ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ।

ସମ୍ବନ୍ଧିତ ଖବର