ନୂଆଦିଲ୍ଲୀ: ଚୀନ୍ ଏବେ ବିବାଦୀୟ ଡୋକ୍ଲାମ ଅଂଚଳରେ ପୁଣି ନିର୍ମାଣ କାର୍ଯ୍ୟ ଏବଂ ସେନା ଶିବିର ସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଲ୍ଏସିର ଖୁବ୍ ନିକଟରେ ଚୀନ୍ ସାମରିକ ଶିବିର ସ୍ଥାପନ କରି ଉତ୍ତେଜନା ବଢ଼ାଉଛି। ୨୦୧୭ରେ ଦୀର୍ଘ ୭୨ ଦିନ ଧରି ଡୋକ୍ଲାମ୍କୁ ନେଇ ଭାରତ-ଚୀନ୍ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତର ଜୋର୍ଦାର କୂଟନୈତିକ ପ୍ରୟାସ ଏବଂ ସୀମାରେ ସାଲିସ୍ବିହୀନ ରଣନୀତି ପାଇଁ ଚୀନ୍ ସେତେବେଳେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲା।
ଏବେ ଲଦାଖ୍ ସୀମାରେ ଚୀନ୍ ଭାରତୀୟ ଅଂଚଳକୁ ଦଖଲ କରିବା ପ୍ରୟାସରେ ଥିବା ବେଳେ ଡୋକ୍ଲାମରେ ମଧ୍ୟ ଭାରତ ଓ ଭୁଟାନ୍ର ଅଂଚଳ ଉପରେ ନଜର ପକାଇଛି। ଗତ ଏପ୍ରିଲ-ମେରୁ ପୂର୍ବ ଲଦାଖ୍ରେ କେତେକ ଅଂଚଳକୁ ଚୀନ୍ ବଳପୂର୍ବକ ନିଜ ଅକ୍ତିଆରକୁ ନେବା ପାଇଁ ସେନା ମୁତୟନ କରିଛି ଏବଂ ଏହାକୁ ରୋକିବା ପାଇଁ ଭାରତ ମଧ୍ୟ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଏଭଳି ସ୍ଥିତିରେ ଡୋକ୍ଲାମରେ ସେନା ଶିବିର ସ୍ଥାପନ କରି ଚୀନ୍ ଭାରତ ଉପରେ ଚାପ ବଢ଼ାଇବାକୁ ଚାହୁଛି। ଏହା ସହିତ ଗୁଜରାଟ ସୀମା ନିକଟରେ ଥିବା ପାକିସ୍ତାନ ଏୟାର୍ବେସ୍କୁ ମଧ୍ୟ ଚୀନ୍ ଯୁଦ୍ଧ ବିମାନ ଏବଂ ସେନା ପଠାଇବାରେ ଲାଗିଛି। ପାକିସ୍ତାନ ସହିତ ଦ୍ବିପାକ୍ଷିକ ସମରାଭ୍ୟାସରେ ସାମିଲ ହେବା ପାଇଁ ଚୀନ୍ ସେନା ପହଞ୍ଚିଥିବା ଜଣାପଡ଼ିଛି। ଚୀନ୍ ଡୋକ୍ଲାମ କ୍ଷେତ୍ରରେ ୨୦ରୁ ଅଧିକ ସେନା ଶିବିର ସ୍ଥାପନ କରିସାରିଥିବା ରିପୋର୍ଟ ମିଳିଛି। ଭାରତୀୟ ସେନା ଯେଭଳି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ, ସେହି ଯୋଜନାରେ ଚୀନ୍ ସେନା ଶିବିରକୁ ଲାଗି ନୂଆ ଗ୍ରାମ ମଧ୍ୟ ସ୍ଥାପନ କରିଛି। ତେବେ ଚୀନ୍ ପଟୁ ଏଭଳି ବିପଦର ମୁକାବିଲା ପାଇଁ ଭାରତ ଏବେ ନୂଆ ରଣନୀତିରେ ଏହାର ମୁକାବିଲା ପାଇଁ ତୟାର ରହିଛି।