ଡୋକଲାମ ପରେ ୩୦ ଥର ସୀମା ଅତିକ୍ରମଣ କରିଛି ଚୀନ୍‌

ନୂଆଦିଲ୍ଲୀ: ଡୋକଲାମ ବିବାଦର ସମାଧାନ ସତ୍ତ୍ୱେ ଚୀନ୍‌ ସେନା ଭାରତ-ଭୁଟାନ ଅଂଚଳରେ ତୁହାକୁ ତୁହା ଅତିକ୍ରମଣ କରୁଥିବା ରିପୋର୍ଟ ମିଳିଛି। ଭାରତ-ଭୁଟାନ-ଚୀନ୍‌ ସୀମାର ଡୋକଲାମ ଅଂଚଳରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଦୀର୍ଘଦିନ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିବା ପରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ଭାରତ ସଫଳ ହୋଇଥିଲା। ତେବେ ଏହା ସତ୍ତ୍ୱେ ଚୀନ୍‌ ସେନା ଡୋକଲାମ ଘଟଣା ପରେ ୩୦ ଥର ଭାରତୀୟ ଅଂଚଳକୁ ପଶିଥିବା ଜଣାପଡ଼ିଛି। ଏହି ପ୍ରୟାସ ଚୀନ୍‌ ସେନାର ଅଭ୍ୟାସରେ ପରିଣତ ହୋଇଯାଇଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ମଧ୍ୟ ଭାରତୀୟ ସେନା ପର୍ଯ୍ୟାପ୍ତ ପଦକ୍ଷେପ ନେଇଛି। ଭାରତ-ଚୀନ୍‌ ସୀମାର ପୈଗାଙ୍ଗ ହ୍ରଦ ଅଂଚଳରେ କିଛିଦିନ ତଳେ ଚୀନ୍‌ ସୈନିକ ଭାରତୀୟ ସେନା ଉପରକୁ ପଥରମାଡ଼ କରିଥିଲେ। ଚୀନ୍‌ ସେନା ଅକ୍ଟୋବର ୧୪ ତାରିଖ ସକାଳେ ବୋଟ୍‌ ଦ୍ୱାରା ହ୍ରଦ ଦେଇ ଭାରତୀୟ ସୀମାର ୬ କିମି ଭିତରକୁ ପଶି ଆସିଥିଲେ। ଏହା ପରେ ୨୧ ଅକ୍ଟୋବରରେ ଏକ ଟ୍ରକ୍‌ରେ ଚୀନ୍‌ ସେନା ଭାରତୀୟ ଅଂଚଳର ୨ କିମି ଭିତରକୁ ପଶିଥିଲେ। ତେବେ ଆଇଟିବିପି ଯବାନ ସେମାନଙ୍କୁ ତତ୍କାଳ ପଛକୁ ହଟାଇଦେବାରେ ସକ୍ଷମ ହୋଇଥିଲେ। ୨୬ ଅକ୍ଟୋବରରେ ଦକ୍ଷିଣ ଲଦାଖର ଦମଛେଲେ ଅଂଚଳରେ ଚୀନ୍‌ ସୈନିକ ଭାରତୀୟ ଅଂଚଳର ୭୦୦ ମିଟର ଭିତରକୁ ପଶିଥିଲେ। ଭାରତୀୟ ସେନାର ତତ୍କାଳ କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏହି ସମୟ ମଧ୍ୟରେ ଚୀନ୍‌ ସେନା ଭାରତର ବାୟୁସୀମା ମଧ୍ୟ ଅନେକ ଥର ଅତିକ୍ରମଣ କରିଥିବା ରିପୋର୍ଟ ମିଳିଛି। ତେବେ ସୀମାରେ ଉତ୍ତେଜନା ସୃଷ୍ଟି କରି ଭାରତକୁ ଚାପରେ ରଖିବା ପାଇଁ ଚୀନ୍‌ର ଏହି କୌଶଳ କାମ ଦେଉନାହିଁ।

ଚୀନ୍‌ ସେନାର କୂଟିଳ ଆଭିମୁଖ୍ୟକୁ ଦେଖି ଭାରତୀୟ ସେନା ଏବେ ତା’ର ରଣନୀତି ବଦଳାଇଛି। ଅତିକ୍ରମଣ ହେଉଥିବା ସମସ୍ତ ସମ୍ଭାବ୍ୟ ଅଂଚଳରେ ଅହରହ ନଜର ରଖାଯାଉଛି। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଯବାନଙ୍କ ପହରା ବଢ଼ାଇ ଦିଆଯାଇଛି। ଚୀନ୍‌ ସେନା ନୂଆ ନୂଆ ଅଂଚଳରେ ବିବାଦ ସୃଷ୍ଟି କରିବାକୁ ଚାହୁଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଏବଂ ଉପଗ୍ରହ ଛବି ଉପରେ ମଧ୍ୟ ନିର୍ଭର କରୁଛି । ଚୀନ୍‌ର ବିସ୍ତାରବାଦ ନୀତିର ମୁକାବିଲା ପାଇଁ ଭାରତ ଏବେ ଅନ୍ତର୍ଜାତୀୟ କୂଟନୀତି ଉପରେ ପ୍ରାଧାନ୍ୟ ଦେଇଛି। ଚୀନ୍‌ର ଓ୍ଵାନ୍‌ବେଲ୍‌ଟ ଓ୍ଵାନ୍‌ରୋଡ ପ୍ରକଳ୍ପର ମୁକାବିଲା ପାଇଁ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ଏକଜୁଟ ହୋଇଛନ୍ତି।

ସମ୍ବନ୍ଧିତ ଖବର