ଡୋକଲାମ୍‌ ପ୍ରଭାବ? ପାରମ୍ପରିକ ସାକ୍ଷାତ-ଅାଲୋଚନା ଏଡ଼ାଇଲେ ଭାରତୀୟ ଏବଂ ଚୀନ୍‌ ସେନା

ନୂଆଦିଲ୍ଲୀ: କୂଟନୈତିକ ଆଲୋଚନା ପରେ ଭୁଟାନ ଅନ୍ତର୍ଗତ ଡୋକଲାମ୍‌ଠାରେ ଦୀର୍ଘ ଦିନ ଧରି ମୁହାଁମୁହିଁ ହୋଇ ରହିଥିବା ଉଭୟ ଭାରତୀୟ ଏବଂ ଚୀନ୍‌ ସେନା ପଛକୁ ହଟିବାର ମାସାଧିକ କାଳ ପରେ ମଧ୍ୟ ଦୁଇ ପ୍ରତିଦ୍ୱନ୍ଦୀ ସେନାବାହିନୀ ମଧ୍ୟରେ ମନାନ୍ତର ରହିଛି।

ପ୍ରତିବର୍ଷ ପରି ଏ ବର୍ଷ ଗତ ରବିବାର ଦିନ ଚୀନ୍‌ର ୬୮ତମ ଜାତୀୟ ଦିବସ ପାଳନ କରାଯିବାକୁ ୪, ୦୫୭ କି. ମି. ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର ନିର୍ଦ୍ଧାରିତ ପାଞ୍ଚଟି ସ୍ଥାନରେ ଦୁଇ ସେନାବାହିନୀ ସେମାନଙ୍କର ପାରମ୍ପରିକ ବର୍ଡର୍‌ ପର୍ସୋନେଲ୍‌ ମିଟିଙ୍ଗ୍‌ ଆୟୋଜନ କରି ନାହାନ୍ତି।

ସୂତ୍ର କହେ: ଅକ୍ଟୋବର ପହିଲା ଦିନ ପାଞ୍ଚଟି ବର୍ଡର୍‌ ପର୍ସୋନେଲ୍‌ ମିଟିଙ୍ଗ୍‌ ସ୍ଥଳରେ ଆଳଙ୍କାରିକ ବୈଠକ ନିମନ୍ତେ ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି ଆମକୁ ନିମନ୍ତ୍ରଣ କଲା ନାହିଁ। ଏହି ପାଞ୍ଚଟି ସ୍ଥଳ ହେଉଛି ଲଦାଖ ଅନ୍ତର୍ଗତ ଦୌଲତା ବେଗ୍‌ ଓଲ୍‌ଡ଼ି ଏବଂ ଚୁଶୁଲ, ଅରୁଣାଚଳ ଅନ୍ତର୍ଗତ ବୁମ୍‌ ଲା’ ଏବଂ କିବିଥୁ ଓ ସିକିମ୍‌ର ନାଥୁ ଲା’।

ଏ ମାସରେ ଚୀନ୍‌ରେ ଭାରତୀୟ ସେନା ଏବଂ ପିପଲ୍‌ସ୍‌ ଲିବରେସନ୍‌ ଆର୍ମି ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ‘ହ୍ୟାଣ୍ଡ୍‌-ଇନ୍‌-ହ୍ୟାଣ୍ଡ୍‌’ ଅଭ୍ୟାସର ସପ୍ତମ ସଂସ୍କରଣ ପାଇଁ କୌଣସି ଅଗ୍ରଗତିର ଆଭାସ ମିଳିନାହିଁ।

୭୩ ଦିନ ମୁହାଁମୁହିଁ ହୋଇ ରହିବା ପରେ ଅଗଷ୍ଟ ୨୮ ତାରିଖ ଦିନ ସିକିମ୍‌-ଭୁଟାନ୍‌-ତିବ୍ଦତ ତ୍ରିସନ୍ଧି ଡୋକଲାମ୍‌ ବିବାଦ ସ୍ଥଳରୁ ଅଚଳାବସ୍ଥାର ଅବସାନ ଘଟାଇ ଉଭୟ ସେନାଙ୍କୁ ପ୍ରତ୍ୟାହାର କରାଯାଇଥିଲା।

ବାସ୍ତବ ଅଚଳାବସ୍ଥା ସ୍ଥଳରେ ସେମାନଙ୍କର ସ୍ୱଳ୍ପ ସଂଖ୍ୟକ ସେନାର ପରାକାଷ୍ଠା ଦେଖାଇବାକୁ ଉଭୟ ପକ୍ଷ ସେମାନଙ୍କ ଅତିରିକ୍ତ ପଦାତିକ ବାହିନୀକୁ ଆଗକୁ ବଢ଼ାଇବା ସହ ଟ୍ୟାଙ୍କ୍‌, କମାଣ, କ୍ଷେପଣାସ୍ତ୍ର ଏବଂ ବାୟୁସେନାକୁ ଆଗକୁ ପଠାଇଥିଲେ।

ଅଚଳାବସ୍ଥା ସ୍ଥଳ ମଧ୍ୟ ଦେଇ ଝାମ୍ଫେରି ଖାଇ ଆଡ଼କୁ ନିର୍ମାଣ ହେଉଥିବା ଯାନବାହନ ଚଳାଚଳକ୍ଷମ ରାସ୍ତ ନିର୍ମାଣକୁ ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି ସ୍ଥଗିତ ରଖିଥିଲେ ମଧ୍ୟ ସେ ଅଞ୍ଚଳରେ ସୈନିକ ସଂଖ୍ୟା ବଜାୟ ରଖିଛି।

ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ପୁଣି ଥରେ ୫ ବର୍ଷ ସକାଶ କାର୍ଯ୍ୟକାଳ ପାଉଛନ୍ତି ଏବଂ ଅକ୍ଟୋବର ୧୮ ତାରିଖ ଦିନ ଚୀନ୍‌ କମ୍ୟୁନିଷ୍ଟ୍‍ ପାର୍ଟି ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ମହାସଭା ଆୟୋଜନ କରୁଛି। ଆକଳନରୁ ଯାହା ଜଣାପଡୁଛି ସେଯାବତ୍‌ ସେଠାରେ ଏବକାର ପରିସ୍ଥିତି ବଜାୟ ରହିବ। ପାର୍ଟି କଂଗ୍ରେସ୍‌ ସରିବା ପରେ ପିଏଲ୍‌ଏର ମତିଗତି ଜଣାପଡ଼ିବ।

ଜୁନ୍‌ ମଧ୍ୟ ଭାଗରେ ଡୋକ୍‌ଲାମ୍‌ ସଙ୍କଟ ଆରମ୍ଭ ହେବା ପରେ ଅଗଷ୍ଟ ପହିଲା ଦିନ ପିଏଲ୍‌ଏର ୯୦ତମ ବାର୍ଷିକୀ ପାଳନ ଅବସରରେ ଭାରତୀୟ ସେନା ଚୀନ୍‌ ପଟକୁ ପ୍ରବେଶ କରିନାହାନ୍ତି। ପ୍ରତି ବର୍ଷ ସାତ ଆଠଟି ଅନୁଷ୍ଠାନରେ ଉଭୟ ପକ୍ଷର ସେନା ଆଳଙ୍କାରିକ ବୈଠକରେ ମିଳିତ ହୁଅନ୍ତି। ଉଭୟ ସେନା ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଭିନ୍ନ ଭିନ୍ନ ବିପିଏମ୍‌ ପଏଣ୍ଟ୍‌ରେ ଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭେଟି ଓ ଚା ଆଦାନ ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

୨୦୦୭ରେ ପ୍ରଥମ ଥର ଚୀନ୍‌ର କୁନ୍‌ମିଙ୍ଗ୍‌ଠାରେ ଅନୁଷ୍ଠିତ ହୋଇଥିବା ‘ହ୍ୟାଣ୍ଡ୍‌-ଇନ୍‌-ହ୍ୟାଣ୍ଡ୍‌’ ଅଭ୍ୟାସ ନିମନ୍ତେ ଭାରତ ତରଫରୁ ପଠାଯାଉଥିବା ରିମାଣ୍ଡର୍‌ ସବୁକୁ ଅବଜ୍ଞା କରିଚାଲିଛି।

 

ସମ୍ବନ୍ଧିତ ଖବର