ଡୋକଲାମ ପ୍ରଭାବ : ଭାରତର ହାଇସ୍ପିଡ୍‌ ଟ୍ରେନ୍‌ ପ୍ରକଳ୍ପକୁ ଅଟକାଇଲା ଚୀନ୍‌ 

ନୂଆଦିଲ୍ଲୀ : ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ହାଇସ୍ପିଡ୍‌ ଟ୍ରେନ୍‌ ପ୍ରକଳ୍ପକୁ ଚୀନ୍‌ ଅନିଶ୍ଚିତତା ଭିତରେ ଛାଡ଼ିଦେଇଛି।  ୪୯୨ କିମି ଲମ୍ବର ଚେନ୍ନାଇ-ବେଙ୍ଗାଲୁରୁ-ମହିଶୂର ହାଇସ୍ପିଡ ଟ୍ରେନ୍‌ କରିଡର ପ୍ରକଳ୍ପ ପାଇଁ ବର୍ଷକୁ ତଳୁ ଚୀନ୍‌ ସହ ଆଲୋଚନା ହୋଇଥିଲା ଏବଂ ଚୀନ୍‌ର ଏକ କମ୍ପାନି ପ୍ରକଳ୍ପ ରିପୋର୍ଟ ଚୂଡ଼ାନ୍ତ କରି ଭାରତ ସରକାରଙ୍କୁ ପ୍ରଦାନ କରିଥିଲେ। ତେବେ ଚୀନ୍‌ ଏହି ରେଳ ପ୍ରକଳ୍ପ ପାଇଁ ଏବେ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ। ଏ ବାବଦରେ ଚୀନ୍‌ କମ୍ପାନିମାନେ ଆଉ କୌଣସି ପରବର୍ତ୍ତୀ ରିପୋର୍ଟ ଦେଉନାହାନ୍ତି କି ରେଳବାଇ ପକ୍ଷରୁ ହେଉଥିବା ଯୋଗାଯୋଗ ନେଇ ମଧ୍ୟ କୌଣସି ଉତ୍ତର ମିଳୁନାହିଁ।

ରେଳବାଇର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଡୋକଲାମରେ ଭୁଟାନ ଅଂଚଳ ଦଖଲ କରିବାକୁ ଚୀନ୍‌ର ଯୋଜନାକୁ ଭାରତ ପଣ୍ଡ କରିଦେବା ପରେ ଏବେ ରାଗ ସୁଝାଇବା ପାଇଁ ଚୀନ୍‌ ଏଭଳି ଆଚରଣ ଦେଖାଉଛି। ୪୯୨ କିମି ଲମ୍ବର ଏହି ହାଇସ୍ପିଡ୍‌ ଟ୍ରେନ୍‌ ପ୍ରକଳ୍ପର ଠିକା ଚୀନ୍‌ର ଏକ କମ୍ପାନିକୁ ଦିଆଯିବା ପରେ ଚଳିତ ବର୍ଷ ହିଁ କାମ ଆରମ୍ଭ କରିବାକୁ ଯୋଜନା ହୋଇଥିଲା । କଂପାନି ନଭେମ୍ବର ୨୦୧୬ରେ  ଚୂଡ଼ାନ୍ତ ରିପୋର୍ଟ ରେଳ ମନ୍ତ୍ରାଳୟକୁ ପଠାଇ ଦେଇଥିଲା। ଚୀନ୍‌ କମ୍ପାନି କହିଥିଲା ଯେ  ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାରତୀୟ ରେଳବାଇ ବୋର୍ଡ ସଦସ୍ୟଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବାକୁ ଚାହୁଛି। ଏ ବାବଦରେ ଭାରତ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ପାଇଁ ଉଦ୍ୟମ କଲାବେଳକୁ ଚୀନ୍‌ କମ୍ପାନି ଧରାଛୁଆଁ ଦେଉନାହିଁ।

ଅହମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ହାସଲ କରିବାକୁ ଚୀନ୍‌ ଚାହୁଥିଲା। ତେବେ ଜାପାନକୁ ଏହି ପ୍ରକଳ୍ପ ଦାୟିତ୍ୱ ଦିଆଯିବା ପରେ ଚୀନ୍‌ କ୍ଷୁବ୍ଧ ହୋଇଛି। ଦୀର୍ଘ ୭୧ ଦିନ ଧରି ଭାରତ-ଚୀନ୍‌ ମଧ୍ୟରେ ଡୋକଲାମ ସଙ୍କଟକୁ ନେଇ ମୁହାଁମୁହିଁ ସ୍ଥିତି ଲାଗି ରହିବା ପରେ ଅଗଷ୍ଟ ୨୮ରେ ଏହାର ସମାଧାନ ହୋଇଥିଲା। ଉଭୟ ପକ୍ଷ ସେନା ପ୍ରତ୍ୟାହାର କରିଥିବା ବେଳେ ଦ୍ୱିପାକ୍ଷିକ ସଂପର୍କରେ ବୃଦ୍ଧି ଘଟାଇବାକୁ ଦୁଇ ଦେଶ ସହମତି ପ୍ରକାଶ କରିଥିଲେ। ତେବେ ଚୀନ୍‌ର ଭିନ୍ନ ଆଭିମୁଖ୍ୟ ଏବଂ ଦୋମୁହାଁ ନୀତି ଯୋଗୁଁ ଆଗକୁ ସଂପର୍କ ପୁଣି ତିକ୍ତ ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର