ଡାକ୍ତରଙ୍କୁ ୧୦୦୦ କୋଟିର ଉପହାର ବାଣ୍ଟିଥିଲା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି, ସୁପ୍ରିମକୋର୍ଟ ତାଜୁବ

ନୂଆଦିଲ୍ଲୀ : ଲୋକପ୍ରିୟ ପାରାସିଟାମଲ ବଟିକା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି ମାଇକ୍ରୋ ଲାବ୍ସ ଡାକ୍ତରଙ୍କୁ ପ୍ରଲୋଭିତ କରି ନିଜର ବଟିକାର ବିକ୍ରି ବଢାଇଥିଲା ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି  ଫେଡେରେସନ ଅଫ ମେଡିକାଲ ଓ ଏଲ୍ସ ରିପ୍ରେଜେଣ୍ଟିଭ ଆସୋସିଏସନ ଅଫ ଇଣ୍ଡିଆ । ଡାକ୍ତରମାନଙ୍କୁ ପ୍ରଲୋଭିତ କରିବାକୁ କମ୍ପାନି ପ୍ରାୟ ୧ ହଜାର କୋଟି ବ୍ୟୟ କରିଥିଲା । ଏହାର ପ୍ରତିବଦଳରେ ଡାକ୍ତର ଓ ମେଡିକାଲ ପ୍ରଫେସନାଲମାନେ କମ୍ପାନିର ପ୍ରଡକ୍ଟ ବ୍ୟବହାର ପାଇଁ ଲୋକମାନଙ୍କୁ ପ୍ରେତ୍ସାହିତ କରୁଥିଲେ ।

ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେଓ୍ବାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ଏହା ଏକ ଗୁରୁତର ବିଷୟ । ଏପରିକି ତାଙ୍କୁ କୋଭିଡ୍-୧୯ ହୋଇଥିବାବେଳେ ଡାକ୍ତର ଏହି ବଟିକା ଖାଇବାକୁ ପରାମର୍ଶ ଦେଇଥିଲେ ।

ଗତ ଜୁଲାଇ ମାସରେ ମାଇକ୍ରୋ ଲାବ୍ସ ଉପରେ ଆୟକର ଚଢଉ ବେଳେ ଏକଥା ଜଣାପଡ଼ିଥିଲା । ଏପରି ସାଂଘାତିକ କଥା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ଫାର୍ମାସୁଟିକାଲ ବିଭାଗ ଏହାର ଅଧିକ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ । ପୁଣି ଏହି ତଦନ୍ତରେ ଯେଉଁ ଡାକ୍ତରମାନଙ୍କ ନାଁ ଉଠିଛି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ଫାର୍ମାସୁଟିକାଲ ବିଭାଗର ଏଥିକ୍ସ କମିଟିକୁ ପ୍ରେରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର