ଘରୋଇ ସହାୟକଙ୍କୁ ନିର୍ଯାତନା ମାମଲା: ନିଲମ୍ବିତ ବିଜେପି ନେତ୍ରୀ ଗିରଫ

ରାଞ୍ଚି: ଝାଡ଼ଖଣ୍ଡରେ ଘରୋଇ ସହାୟକଙ୍କୁ ବନ୍ଦୀ କରି ରଖିବା ଏବଂ ସାଂଘାତିକ ନିର୍ଯାତନା ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଆଜି ଗିରଫ ହୋଇଛନ୍ତି। ସୀମା ପାତ୍ରଙ୍କୁ ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନ ପୁଲିସ ରିମା‌ଣ୍ଡରେ ପଠାଯାଇଛି। ତେବେ ପୂର୍ବତନ ଆଇଏଏସ୍‌ ଅଫିସରଙ୍କ ପତ୍ନୀ ସୀମା‌ ପାତ୍ର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ସୀମା ପାତ୍ର କହିଛନ୍ତି, ମତେ ଫସାଇ ଦିଆଯାଇଛି। ମୋର କିଛି ଭୁଲ୍‌ ନାହିଁ। ଉଲ୍ଲେଖଯୋଗ୍ୟ, ସୀମା ପାତ୍ର ତାଙ୍କ ଘରୋଇ ସହାୟକ ସୁନୀତାଙ୍କୁ ଦୀର୍ଘ ୮ ବର୍ଷ ଧରି ବନ୍ଦୀ କରି ରଖିଥିଲେ ଏବଂ ତାଙ୍କୁ ଭୟଙ୍କର ନିର୍ଯାତନା ଦେଇଥିଲେ। ଘରୋଇ ସହାୟକଙ୍କୁ ଖାଇବାକୁ ଦେଉନଥିଲେ ଏବଂ ତାଙ୍କ ଦେହରେ ନିଆଁ ଚେଙ୍କ ଲଗାଇବା ସହ ଚଟାଣରୁ ପରିଶ୍ରା ଚଟାଉଥିଲେ। ସୀମା ପାତ୍ରଙ୍କ ପୁଅ ଏସବୁ ବିଷୟରେ ଜାଣିବାପରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଏନେଇ କହିଥିଲେ। ସୀମା ପାତ୍ରଙ୍କ ପୁଅ ନ୍ୟୁରୋ ସମସ୍ୟା ପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ସେ ଏନେଇ ତାଙ୍କ ବନ୍ଧୁ ବିବେକ ବସ୍କିଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ବସ୍କି ପରେ ଏ ବାବଦରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର