ନୂଆଦିଲ୍ଲୀ: ଦକ୍ଷିଣଦିଲ୍ଲୀର ଲଜପତ ନଗରରେ ବୁଧବାର ରାତିରେ ଜଣେ ମହିଳା ଓ ତାଙ୍କ ନାବାଳକ ପୁଅଙ୍କୁ ସେମାନଙ୍କ ଘରେ ନିର୍ମମ ଭାବେ ହତ୍ୟା କରାଯିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ଜୁଲାଇ ୨ ତାରିଖ ରାତି ପ୍ରାୟ ୯ଟା ୪୩ ମିନିଟ୍‌ରେ ମୃତକାଙ୍କ ସ୍ୱାମୀ କୁଲଦୀପ ସେୱାନୀ ତାଙ୍କ ପତ୍ନୀ ଓ ପୁଅଙ୍କୁ ବାରମ୍ବାର ଫୋନ୍ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଏହାପରେ ସେ  ପୁଲିସକୁ ଜଣାଇଥିଲେ ଏବଂ ପୁଲିସ ଟିମ୍‌ ଘରେ ପହଞ୍ଚିବା ପରେ ସେଠାରେ ରୁଚିକା ସେଵାନି(୪୨) ଓ ତାଙ୍କ ୧୪ ବର୍ଷର ପୁଅର ନିର୍ଜୀବ ଶରୀର ଉଦ୍ଧାର କରିଥିଲେ।  ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ପୁଲିସ କହିଛି। ରୁଚିକା ସେଵାନି ତାଙ୍କ ସ୍ୱାମୀଙ୍କ ସହ ଲଜପତ ନଗର ବଜାରରେ ଏକ ପୋଷାକ ଦୋକାନ କରିଥିଲେ। ପୁଅ ଦଶମ ଶ୍ରେଣୀରେ ପଢ଼ୁଥିଲା। ମୁଖ୍ୟ ଅଭିଯୁକ୍ତ ୨୪ ବର୍ଷୀୟ ମୁକେଶ ମୂଳତଃ ବିହାରର ବାସିନ୍ଦା ଏବଂ ସେ ସେୱାନୀଙ୍କ ଘରେ ଓ ଦୋକାନରେ  ସହାୟକ ଭାବେ କାମ କରୁଥିଲା। ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଧରିଛି। ରୁଚିକା ବାରମ୍ବାର ଗାଳିଗୁଲଜ  କରୁଥିବାରୁ ସେ ଏହି ବର୍ବର ହତ୍ୟାକାଣ୍ଡ ଘଟାଇଛି ବୋଲି ମୁକେଶ ତଦନ୍ତକାରୀଙ୍କୁ କହିଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।