ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିକଶିତ ସ୍କାଏ ଷ୍ଟ୍ରାଇକର ‘ସୁଇସାଇଡ୍ ଡ୍ରୋନ୍’ ଅପରେସନ୍ ସିନ୍ଦୂର ସମୟରେ ପ୍ରଥମେ କାର୍ଯ୍ୟକ୍ଷମ ହୋଇଥିଲା। ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପାଇଁ ଭାରତର ପସନ୍ଦର ଅସ୍ତ୍ର ସ୍କାଲ୍ପ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ହାମର ବୋମା ସହିତ ଭାରତୀୟ ସେନା ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାଏ ଷ୍ଟ୍ରାଇକର ‘ସୁଇସାଇଡ୍ ଡ୍ରୋନ୍’କୁ ନିର୍ଦ୍ଦିଷ୍ଟ ଆକ୍ରମଣ ପାଇଁ ନିୟୋଜିତ କରିଥିଲା।
ବେଙ୍ଗାଲୁରୁସ୍ଥିତ ଆଲ୍ଫା ଡିଜାଇନ୍ (ଏଡିଟିଏଲ୍) ପକ୍ଷରୁ ଇସ୍ରାଏଲର ଏଲ୍ବିଟ୍ ସିଷ୍ଟମ୍ ସହଯୋଗରେ ବିକଶିତ ସ୍କାଏ ଷ୍ଟ୍ରାଇକର ‘ସୁଇସାଇଡ୍ ଡ୍ରୋନ୍’ ଅପରେସନ୍ ସିନ୍ଦୂର ସମୟରେ ବ୍ୟବହୃତ ହୋଇଥିଲା। ଶତ୍ରୁପକ୍ଷର ଟାର୍ଗେଟ୍କୁ ଠାବ କରି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଏହି ଲଏଟରିଂ ଅସ୍ତ୍ର ୫ କିଲୋଗ୍ରାମ୍ର ଯୁଦ୍ଧାସ୍ତ୍ର ବହନ କରିବା ସହ ୧୦୦ କିଲୋମିଟର ମଧ୍ୟରେ ସିଧାସଳଖ ଆକାଶମାର୍ଗରୁ ଆକ୍ରମଣ କରିବାରେ ସକ୍ଷମ। ୨୦୨୧ରେ ଭାରତୀୟ ସେନାରେ ଏଭଳି ୧୦୦ଟି ୟୁଏଭି ପାଇଁ କ୍ରୟ ଚୁକ୍ତି ଅନୁଯାୟୀ ଏହି ଡ୍ରୋନ୍କୁ ସାମିଲ କରାଯାଇଥିଲା। ବିଶେଷ କରି ପାକ୍-ଅଧିକୃତ ଅଞ୍ଚଳରେ ସୀମାପାର ଭିତ୍ତିଭୂମିକୁ ଟାର୍ଗେଟ୍ କରି ଆତଙ୍କବାଦ ବିରୋଧୀ ଅଭିଯାନରେ ସ୍କାଏ ଷ୍ଟ୍ରାଇକରକୁ ପ୍ରଭାବଶାଳୀ ଭାବେ ନିୟୋଜିତ କରାଯାଇଥିଲା।