ଜୋରଦାର ହେଲା କେନ୍ଦ୍ରର ଉଦ୍ୟମ; ଘରୋଇ ଟିକା ଉତ୍ପାଦନ ବଢ଼ିବ, ୩ଟି ସଂସ୍ଥାକୁ ଜ୍ଞାନକୌଶଳ ହସ୍ତାନ୍ତର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକାକରଣ ଲକ୍ଷରେ ଘରୋଇ ଟିକା ଉତ୍ପାଦନ ବଢ଼ାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଜୋରଦାର ଆରମ୍ଭ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଫାର୍ମା କମ୍ପାନିଗୁଡ଼ିକୁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି। ବାୟୋଟେକ୍ସୋଲୋଜି ବିଭାଗ ପକ୍ଷରୁ ‘ଆତ୍ମନିର୍ଭର ଭାରତ ୩.୦ ମିସନ୍‌ କୋଭିଡ୍‌ ସୁରକ୍ଷା’ ଯୋଜନାରେ ହଫ୍‌କିନ୍‌ ବାୟୋଫାର୍ମାସ୍ୟୁଟିକାଲ କର୍ପୋରେସନ, ମୁମ୍ବାଇ, ଇଣ୍ଡିଆନ୍‌ ଇମ୍ୟୁନୋଲୋଜିକାଲ ଲିମିଟେଡ, ହାଇଦ୍ରାବାଦ ଏବଂ ଭାରତ ଇମ୍ୟୁନୋଲୋଜିକାଲ୍‌ସ ଆଣ୍ଡ୍‌ ବାୟୋଲୋଜିକାଲ୍‌ସ ଲିମିଟେଡ଼, ବୁଲନ୍ଦସରକୁ ଟିକା ପ୍ରସ୍ତୁତି ସଂକ୍ରାନ୍ତ ଜ୍ଞାନକୌଶଳ ତଥା ଫର୍ମୁଲା ଯୋଗାଇ ଦିଆଯାଇଛି । ହଫ୍‌କିନ ସଂସ୍ଥା କୋଭାକ୍ସିନ ପ୍ରସ୍ତୁତି ପାଇଁ ଫର୍ମୁଲା ହାସଲ କରିଛି ଏବଂ ଭାରତ ବାୟୋଟେକ୍‌ ସହ ଏ ବାବଦ ଚୁକ୍ତି ସଂପନ୍ନ ହୋଇଛି। ହଫ୍‌କିନ୍‌ ବର୍ଷକରେ ୨୨.୮ କୋଟି ଟିକା ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।

ଜୁନ୍‌ରେ କୋଭିସିଲ୍‌ଡ ଟିକାର ୧୦ କୋଟି ମାତ୍ରା ସିରମ୍‌ ଉପଲବ୍ଧ କରାଇବ ବୋଲି ଘୋଷଣା କରିଥିବା ବେଳେ କୋଭାକ୍ସିନ ଉତ୍ପାଦନ ମଧ୍ୟ ଦୁଇ ଗୁଣା କରାଯିବାକୁ ଲକ୍ଷ୍ୟ ରହିଛି। ସେପ୍‌ଟେମ୍ବରରୁ କୋଭାକ୍ସନ ଉତ୍ପାଦନ ମାସକୁ ୧୦ କୋଟି ମାତ୍ରା ହେବ ବୋଲି କୁହାଯାଇଛି। ଆଜି ସୁଦ୍ଧା ଦେଶରେ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣ ଟିକା ନେଲେଣି ଏବଂ ଆଗକୁ ଟିକାକରଣ ଆହୁରି ବ୍ୟାପକ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ୧ରୁ ୩୧ ମେ ମଧ୍ୟରେ ୬.୧ କୋଟି ମାତ୍ରା ଲୋକଙ୍କୁ ଦିଆଯାଇଥିବା ବେଳେ ରାଜ୍ୟମାନଙ୍କ ପାଖରେ ୧.୬୨ କୋଟି ମାତ୍ରା ବ୍ୟବହାର ନହୋଇ ରହିଥିଲା। ଚଳିତ ମାସରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ରୁଷ୍‌ ନିର୍ମିତ କୋଭିଡ୍‌ ଟିକାର ୧.୫ କୋଟି ମାତ୍ରା ମଧ୍ୟ ସାମିଲ ହେବ।

ସମ୍ବନ୍ଧିତ ଖବର