ଲକ୍‌ଡାଉନ ସମୟରେ ବୃଦ୍ଧି ପାଇଛି ଘରୋଇ ହିଂସା

ମହିଳା ଓ ଶିଶୁ ନିର୍ଯାତନା: ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ଲକ୍‌ଡାଉନ ସମୟରେ ଦେଶରେ ଘରୋଇ ହିଂସା ଏବଂ ମହିଳା ଓ ଶିଶୁ ନିର୍ଯାତନା ଅସମ୍ଭବ ଭାବେ ବୃଦ୍ଧି ପାଇଛି ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲକ୍‌ଡାଉନ୍‌ ସମୟସୀମାକୁ ଯେତେ ବୃଦ୍ଧି କରାଯାଉଛି, ଘରୋଇ ହିଂସା ଓ ଶିଶୁ ନିର୍ଯାତନା ସେତେ ବଢୁଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନର ପ୍ରଥମ ସପ୍ତାହ ମାର୍ଚ୍ଚ ୨୦ରୁ ୩୧ ମଧ୍ୟରେ ଚାଇଲ୍‌ଡ ଲାଇନ୍‌ ଇଣ୍ଡିଆ ହେଲ୍‌ପଲାଇନ ‘୧୦୯୮’ ସମଗ୍ର ଦେଶରୁ ଘରୋଇ ହିଂସା ଏବଂ ଶିଶୁ ନିର୍ଯାତନା ସଂକ୍ରାନ୍ତ ୯୨,୦୦୦ ଅଭିଯୋଗ ପାଇଛି। ସେହିଭଳି ଏହି ସମୟସୀମା ମଧ୍ୟରେ ଜାତୀୟ ମହିଳା କମିସନ ମଧ୍ୟ ୩୧୫ ଅଭିଯୋଗ ପାଇଛି। ବର୍ତ୍ତମାନ ସମଗ୍ର ଦେଶରେ କୋଭିଡ-୧୯ ଲକ୍‌ଡାଉନ ଯୋଗୁଁ ମହିଳା ଓ ଶିଶୁମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ‘ପପୁଲେସନ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ’ ନାମକ ଏକ ଏନ୍‌ଜିଓର ନିର୍ବାହୀ ନିର୍ଦ୍ଦେଶକ ପୁନମ୍‌ ମୁତ୍ରେଜା କହିଛନ୍ତି।

ବର୍ତ୍ତମାନ ସମଗ୍ର ବିଶ୍ବ ତୁଳନାରେ ଭାରତରେ ଘରୋଇ ହିଂସା ଓ ଶିଶୁ ନିର୍ଯାତନାର ହାତ ସର୍ବାଧିକ ରହିଛି। ଏଣୁ ଦେଶରେ ଘଟୁଥିବା ଘରୋଇ ହିଂସା, ମହିଳା ଓ ଶିଶୁ ନିର୍ଯାତନାକୁ ନିୟନ୍ତ୍ରଣକୁ ଆଣିବା ନେଇ ଭାରତ ସରକାର ପ୍ରଯତ୍ନ କରିବାକୁ ପୁନମ୍‌ ମୁତ୍ରେଜା ଆହ୍ବାନ ଜଣାଇଛନ୍ତି। ସେହିଭଳି ଲକ୍‌ଡାଉନ ଯୋଗୁଁ ହିଂସାସୃଷ୍ଟିକାରୀ, ବ୍ୟଭିଚାରୀମାନେ ଅନ୍ୟତ୍ର ବିନିଯୋଗ ହେଉ ନଥିବାରୁ ସେମାନଙ୍କୁ ଘରୋଇ ହିଂସା ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳୁଛି ବୋଲି ବିଶିଷ୍ଟ ମନୋବିଜ୍ଞାନୀ ସଚିତା ସେଠୀ କହିଛନ୍ତି। ଅପରପକ୍ଷେ, ଦେଶରେ ମଦ ଦୋକାନସବୁ ଖୋଲି ଯାଇଥିବାରୁ ମଦ୍ୟପମାନେ ମଦ ପିଇ ଘରେ ନିଜ ପତ୍ନୀଙ୍କ ଇଛା ବିରୋଧରେ ଜବରଦସ୍ତି ଭାବେ ଶାରୀରିକ ସମ୍ବନ୍ଧ (ମାରିଟାଲ୍‌ ରେପ୍‌) ରଖିବାକୁ ବାଧ୍ୟ କରୁଛନ୍ତି। ବିଶେଷକରି ମଦ୍ୟମ ‌ସ୍ବାମୀଙ୍କ ଏଭଳି ଉତ୍ପାତ ନେଇ ଜାତୀୟ ମହିଳା କମିସନଙ୍କ ନିକଟରେ ଅଧିକ ମାମଲା ପହଞ୍ଚିଛି ବୋଲି ଏନ୍‌ଜିଓ ‘ପରୀ’ର ପ୍ରତିଷ୍ଠାତା ଯୋଗିତା ଭୟାନା ସୂଚନା ଦେଇଛନ୍ତି। ସେହିଭଳି ଲକ୍‌ଡାଉନ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର