ସାଣ୍ଟୋ ଡୋମିନିଗୋ: ଡୋମିନିକାନ୍ ରିପବ୍ଲିକ୍ର ଏକ ନାଇଟ୍ କ୍ଲବ୍ରେ ସଙ୍ଗୀତ ସମାରୋହ ଚାଲିଥିବା ବେଳେ ଗତକାଲି ଛାତ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି। ରାଜଧାନୀ ସାଣ୍ଟୋ ଡୋମିନିଗୋର ଲୋକପ୍ରିୟ ଜେଟ୍ସେଟ୍ ନାଇଟକ୍ଲବ୍ରେ ପ୍ରାୟ ୩୦୦ ଲୋକଙ୍କ ଉପସ୍ଥିତିରେ ପ୍ରସିଦ୍ଧ ଗାୟକ ରୁବି ପିରେଜ୍ଙ୍କ ସଙ୍ଗୀତ ସମାରୋହ ଚାଲିଥିଲା। ଏହି ସମାରୋହରେ ଜଣାଶୁଣା ବେସ୍ବଲ୍ ଖେଳାଳୀ ଓକ୍ଟାଭିଓ ଦୋତେଲ୍ଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ନାଚଗୀତରେ ଦର୍ଶକ ଝୁମୁଥିବା ବେଳେ ନାଇଟ୍ କ୍ଲବ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଘଟଣାରେ ୨ ଜଣ ପୂର୍ବତନ ଲିଗ୍ ବେସବଲ୍ ଖେଳାଳିଙ୍କ ସମେତ ୧୨୪ ଲୋକଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରୁ ୩୩ ଜଣଙ୍କୁ ଚିହ୍ନଟ କରାଯାଇପାରିନି। ୧୫୫ ଜଣ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଇମର୍ଜେନ୍ସି ଅପରେସନ ସେଣ୍ଟରର ନିର୍ଦ୍ଦେଶକ ଜୁଆନ୍ ମାନୁଏଲ କହିଛନ୍ତି, ଆମେ ଭଗ୍ନାବଶେଷ ଏବେ ବି ସଫା କରିବା କାର୍ଯ୍ୟ ଜାରି ରଖିଛୁ। ଆହୁରି ଅନେକ ନିଖୋଜ ଲୋକଙ୍କୁ ଆମେ ଖୋଜୁଛୁ ବୋଲି ସେ କହିଛନ୍ତି। ଦୁର୍ଘଟଣାର କାରଣ କ’ଣ ଏଯାବତ ଜଣାପଡ଼ିନାହିଁ। ମୃତକଙ୍କ ମଧ୍ୟରେ ପୂର୍ବତନ ମେଜର ଲିକ୍ ବେସବଲ୍ ଖେଳାଳି ଓକ୍ଟାଭିଓ ଡଟେଲ ଅଛନ୍ତି। ଅନ୍ୟଜଣେ ପୂର୍ବତନ ମେଜର ଲିଗର ଟୋନି ବ୍ଲାଙ୍କୋଙ୍କର ମଧ୍ୟ ଏହି ଘଟଣାରେ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/10/qzLLYn0F6ctrPFNKKqpa.jpg)