‘ସିଟି ଅଫ୍‌ ଜୟ’ ଉପନ୍ୟାସର ଲେଖକ ତଥା ଭାରତପ୍ରେମୀ ଡୋମିନିକ୍‌ ଲାପିୟେର୍‌ଙ୍କ ଦେହାନ୍ତ

ପ୍ୟାରିସ୍‌: ଭାରତ ପ୍ରତି ଗଭୀର ଭାବାବେଗ ଥିବା ଫରାସୀ ଲେଖକ ଡୋମିନିକ୍‌ ଲାପିୟେର୍‌ଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପତ୍ନୀ କହିଛନ୍ତି। ଲାପିୟେର୍‌ଙ୍କ ରଚିତ ଉପନ୍ୟାସ ବହି ସବୁ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରୟ ହୁଏ।

ରବିବାର ଦିନ ଫରାସୀ ସମ୍ବାଦପତ୍ର ‘ଭାର୍‌-ମାଟିନ୍‌’କୁ ଔପନ୍ୟସିକ ଡୋମିନିକ୍‌ ଲାପିୟେର୍‌ଙ୍କ ପତ୍ନୀ ଡୋମିନିକ୍‌ କୋସୋନ୍‌-ଲାପିୟେର୍‌ କହିଛନ୍ତି, ବାର୍ଦ୍ଧକ୍ୟଜନିତ କାରଣରୁ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡୋମିନିକ୍‌ ଆଉ କଷ୍ଟ ଭୋଗୁ ନ ଥିବାରୁ ସେ ଶାନ୍ତ ଓ ଅବିଚଳିତ ଅଛନ୍ତି।

୧୯୩୧ ମସିହା ଜୁଲାଇ ୩୦ ତାରିଖରେ ସାଟେଲେଲନ୍‌ରେ ଜନ୍ମିତ ଲାପିୟେର୍‌ ଆମେରିକୀୟ ଲେଖକ ଲାରି କଲିନ୍‌ଙ୍କ ସହିତ ମିଶି ଲେଖିଥିବା ୬ଟି ବହି ପ୍ରାୟ ୫୦ ନିୟୁତ କପି ବିକ୍ରୟ ହୋଇଥିଲା। ସେଥିରୁ ସବୁଠୁ ପ୍ରସିଦ୍ଧ ବହିଟି ହେଉଛି ‘ଇଜ୍‌ ପ୍ୟାରିସ୍‌ ବର୍ଣ୍ଣିଙ୍ଗ୍‌?’

Image Courtesy of Khaleej Times

ତାଙ୍କ ରଚିତ ୧୯୮୫ ମସିହାର ଉପନ୍ୟାସ ‘ସିଟି ଅଫ୍‌ ଜୟ’ ମଧ୍ୟ ବ୍ୟାପକ ସଫଳତା ହାସଲ କରିଥିଲା। ଏହି ଉପନ୍ୟାସରେ ସେ କୋଲ୍‌କାତାର ଜଣେ ରିକ୍ସାବାଲାର ଦୁଃଖକଷ୍ଟ ବିଷୟରେ ଲେଖିଛନ୍ତି। ଏହି ଉପନ୍ୟାସକୁ ଆଧାର କରି ୧୯୯୨ରେ ଗୋଟାଏ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିଥିଲା। ଏଥିରେ ଅଭିନୟ କରିଥିଲେ ପାଟ୍ରିକ୍‌ ସ୍ବେଏଜ୍‌ ଓ ନିର୍ଦେଶନା ଦେଇଥିଲେ ରୋନାଲ୍‌ଡ୍‌ ଜୋଫ୍‌।

ଭାରତରେ ମାନବୀୟ ପ୍ରକଳ୍ପଗୁଡ଼ିକୁ ସହାୟତା କରିବା ନିମନ୍ତେ ‘ସିଟି ଅଫ୍‌ ଜୟ’ରୁ ଲବ୍ଧ ବପୁଳ ରାଜଭାଗକୁ ସେ ଦାନ କରି ଦେଇଥିଲେ। ଏଥିପାଇଁ ୨୦୦୫ରେ ଧନ୍ୟବାଦ ଜ୍ଞାପନ କରି ସେ ଲେଖିଥିଲେ, ପ୍ରଦତ୍ତ ଅର୍ଥଦ୍ବାରା ୨୪ ବର୍ଷ ମଧ୍ୟରେ ୧ ନିୟୁତ ‘ଟିବି’ ରୋଗୀଙ୍କୁ ରୋଗମୁକ୍ତ କରିବା ଓ କୁଷ୍ଠରୋଗାକ୍ରାନ୍ତ ୯୦୦୦ ପିଲାଙ୍କ ଚିକିତ୍ସା ସମ୍ଭବ ହୋଇଛି।

‘ଇଜ୍‌ ପ୍ୟାରିସ୍‌ ବର୍ଣ୍ଣିଙ୍ଗ୍‌’ର ସଫଳତା ପରେ ଲାପିୟେର୍‌ ଓ କଲିନ୍‌ସ୍‌ ମିଳିତ ଭାବେ ‘ଅର୍‌ ଆଇୱିଲ୍‌ ଡ୍ରେସ୍‌ ୟୁ ନି ମୋର୍ଣ୍ଣିଙ୍ଗ୍‌’ (୧୯୬୮), ‘ଓ ଜେରୁଜେଲମ୍‌’ (୧୯୭୨), ‘ଫ୍ରିଡମ୍‌ ଆଟ୍‌ ମିଡ୍‌ନାଇଟ୍‌’ (୧୯୭୫), ‘ଦି ଫିଫ୍‌ଥ୍‌ ହର୍ସମ୍ୟାନ୍‌’ (୧୯୮୦) ଏବଂ ‘ଇଜ୍‌ ନ୍ୟୁୟର୍କ ବର୍ଣ୍ଣିଙ୍ଗ୍‌?’ ନାମରେ ଥ୍ରିଲର୍‌ ରଚନା କରିଥିଲେ।

ଦୀର୍ଘ ଦିନ ଧରି ଲାପିୟେର୍‌ ସେଣ୍ଟ୍‌-ଟ୍ରୋପେଜ୍‌ରେ କଲିନ୍‌ସ୍‌ଙ୍କ ନିକଟରେ ବାସ କରୁଥିଲେ। ସେମାନଙ୍କ ବାସଭବନକୁ ପୃଥକ୍‌ କରିଥିଲା ଗୋଟାଏ ଟେନିସ୍‌ କୋର୍ଟ।

ସମ୍ବନ୍ଧିତ ଖବର