ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଜିନ୍ନତ ଅମନ୍ଙ୍କ ଅଭିନୀତ ପ୍ରଖ୍ୟାତ ବଲିଉଡ୍ ଚଳଚ୍ଚିତ୍ର ‘ଡନ୍’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋତ୍ (୮୬)ଙ୍କ ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ଧରି ଫୁସଫୁସ୍ ରୋଗରେ ପୀଡ଼ିତ ଥିଲେ। ଚନ୍ଦ୍ରଙ୍କ ପତ୍ନୀ ଦୀପାଙ୍କ ସୂଚନାନୁସାରେ, ଗତ ୭ ବର୍ଷ ଧରି ସେ ପଲମୋନାରି ଫାଇବ୍ରୋସିସ୍ରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଯଶଲୋକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ନସୁଧୁରିବାରୁ ଡାକ୍ତର ମନୀଷ ସେଟ୍ଟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗୁରୁ ନାନକ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଥିଲା।
ସୂଚନାଯୋଗ୍ୟ, ଚନ୍ଦ୍ର ବାରୋତ ତାଞ୍ଜାନିଆରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଏକ ବ୍ୟାଙ୍କ କର୍ମଚାରୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ସୁନାମଧନ୍ୟ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରାୟୋଜକ ମନୋଜ କୁମାରଙ୍କ ପ୍ରେରଣାରେ ସେ ଭାରତ ଆସି ବଲିଉଡ୍ରେ ଯୋଗ ଦେଇଥିଲେ। ଡନ୍ର ନିର୍ଦ୍ଦେଶନା ସହ ଚନ୍ଦ୍ର ଏକାଧିକ ହିଟ୍ ଚଳଚ୍ଚିତ୍ର ପୂରବ ଔର ପଶ୍ଚିମ, ୟାଦଗାର, ଶୋର, ରୋଟି କପଡ଼ା ଔର ମକାନ୍ ଆଦି ଚଳଚ୍ଚିତ୍ରର ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।