ବିଶ୍ୱକପ ଖେଳ ବେଳେ ଭାରତୀୟ  ଚୟନକର୍ତ୍ତା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ଚା’ ଦେଉଥିବା ମନ୍ତବ୍ୟର କଡ଼ା ଜବାବ ରଖିଲେ ଅନୁଷ୍କା

ନୂଆଦିଲ୍ଲୀ : ଦେଶର ବରିଷ୍ଠ କ୍ରିକେଟର ଫାରୁକ ଇଂଜିନୟରଙ୍କ ୨୦୧୯ ବିଶ୍ୱକପ ଖେଳ ବେଳେ ଭାରତୀୟ  ଚୟନକର୍ତ୍ତା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ଚା’ ଦେଉଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ପୂର୍ବରୁ ତାଙ୍କୁ ନେଇ ଅନେକ କ୍ରିକେଟ ପ୍ରେମୀ ଅନେକ ବିବାଦୀୟ କଥା କହିଥିଲେ ମଧ୍ୟ ସେ ଚୁପ୍‌ ରହି ଆସୁଥିଲେ । କିନ୍ତୁ ଭାରତର ପୂର୍ବତନ ଓ୍ଵିକେଟ କିପର ଫାରୁକ ଇଞ୍ଜିନିୟର ତାଙ୍କୁ ନେଇ ଦେଇଥିବା ବୟାନ ଉପରେ ଅନୁଷ୍କା ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ମୁତାବକ, ଫରୁକ ଇଞ୍ଜିନିୟର ଏକ ସାକ୍ଷାତକାରରେ ବର୍ତ୍ତମାନର ଭାରତୀୟ ଚୟନକର୍ତ୍ତା କମିଟି ଉପରେ ଅସନ୍ତୋଷ ଜାହିର କରିଥିଲେ । ୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଚୟନକର୍ତ୍ତା କମିଟିର ଜଣେ ସଦସ୍ୟ ଅନୁଷ୍କାଙ୍କୁ ଚା’ ଦେଉଥିବା କଥା ସେ କହିଥିଲେ । ଭାରତୀୟ ଚୟନକର୍ତ୍ତା କମିଟି ଯେଉଁ କାମ ପାଇଁ ଗଢ଼ାଯାଇଛି, ସେ କାମ ନ କରି ସେମାନେ ଅନୁଷ୍କାଙ୍କୁ ଚା’ ଦେଉଛନ୍ତି ଭଳି ବୟାନ ରଖିବା ପରେ ଏବେ ଏହାର ଜବାବ ରଖିଛନ୍ତି ଅନୁଷ୍କା । ଟୁଇଟ୍‌ରରେ ଏକ ଚିଠି ପୋଷ୍ଟ କରି ସେ ଏହାର ଉତ୍ତର ରଖିଛନ୍ତି ।

ନିଜ ଚିଠିରେ ସେ ଲେଖିଛନ୍ତି, ମୁଁ ସବୁବେଳେ ମାନି ଆସିଛି କି, ମଣିଷକୁ ମିଛ ଓ ଭୁଲ ଖବର ଉପରେ କୌଣସି ପ୍ରତିକ୍ରିୟା ନ ଦେଇ ଚୁପ୍‌ ରହିବା ଦରକାର । ଏହି ଭଳି ଭାବରେ ମୁଁ ମୋର ୧୧ବର୍ଷର କ୍ୟାରିୟର ସମ୍ଭାଳି ଆସିଛି । କିନ୍ତୁ ମିଛକୁ ବାରମ୍ବାର କହିଲେ ତାହା ସତ ଲାଗେ । ଏହା ମଧ୍ୟ ସତ । ଯାହା ପାଇଁ ମୁଁ ଆଜି ମୁହଁ ଖୋଲିବାକୁ ବାଧ୍ୟ ହୋଇଛି । ପୂର୍ବରୁ ମୋ ସ୍ୱାମୀଙ୍କ ପରାଜୟଠାରୁ ଆରମ୍ଭ କରି ଅନ୍ୟ ସବୁ ଭୁଲ ପାଇଁ ମୋତେ ଦାୟୀ କରାଯାଇଛି । ଆଜି ମଧ୍ୟ ମୋ ନାଁରେ ଏକ ମିଛ ଅଭିଯୋଗ ଆସିଛି । ଯାହାକୁ ଶୁଣିବା ପରେ ମୁଁ ପ୍ରତିକ୍ରିୟା ରଖିବା ଦରକାର ବୋଲି ଭାବି ଏହି ପୋଷ୍ଟ କରିଛି ।

ଫାରୁକ ଇଞ୍ଜିନିୟରଙ୍କ ବୟାନକୁ ନେଇ ମୁଁ କହିବାକୁ ଚାହେଁ ଯେ, ମୁଁ ବିଶ୍ୱକପକୁ କେବଳ ମ୍ୟାଚ୍‌ ଦେଖିବାକୁ ଯାଇଥିଲି । ଏହି ମ୍ୟାଚ୍‌ ମୁଁ ଚୟନକର୍ତ୍ତାଙ୍କ ବକ୍ସରେ ବସି ନୁହେଁ ବରଂ ଫ୍ୟାମିଲି ବକ୍ସରେ ବସି ଦେଖିଥିଲି । ଯଦି ଆପଣ ଚୟନକର୍ତ୍ତା କମିଟି ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁଛନ୍ତି, ତେବେ କେବଳ ସେହି କାମ କରନ୍ତୁ । ଦୟାକରି ନିଜ ଅଭିଯୋଗକୁ ସତ ପ୍ରମାଣ କରିବା ପାଇଁ ମୋ ନାଁକୁ ସାମିଲ କରନ୍ତୁ ନାହିଁ । କାହାକୁ ମଧ୍ୟ ଏଭଳି ବିଷୟରେ ମୋ ନାଁ ସାମିଲ କରିବାର କୌଣସି ଅଧିକାର ନାହିଁ । ଆଗକୁ ଯଦି କେହି ମୋ ନାଁ ବ୍ୟବହାର କରିବାକୁ ଚାହୁଁଛନ୍ତି ବା ମୋ ସ୍ୱାମୀ ବା କ୍ରିକେଟ ବୋର୍ଡକୁ ଅସମ୍ମାନିତ କରିବାକୁ ଚାହୁଁଛନ୍ତି, ତେବେ ସଂପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଆଧାରରେ କରନ୍ତୁ ।

ଶେଷରେ ମୁଁ ଗୋଟେ କଥା କହିବାକୁ ଚାହେଁ, ମୁଁ ଚା’ ନୁହେଁ କଫି ପିଏ ।

ସମ୍ବନ୍ଧିତ ଖବର