‘ବନ୍ଧୁ’ ମୋଦୀ କହିଛନ୍ତି ଭାରତରେ ମୋତେ କୋଟି କୋଟି ଜନତା ସ୍ୱାଗତ କରିବେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଏ ମାସର ଶେଷ ଆଡ଼କୁ ଭାରତ ଗସ୍ତରେ ଯିବାକୁ ଚାହିଁ ବସିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। କୋଟି କୋଟି ଭାରତୀୟ ତାଙ୍କୁ ସ୍ୱାଗତ କରିବେ ବୋଲି ‘ବନ୍ଧୁ’ ମୋଦୀ ତାଙ୍କୁ ଜଣାଇଛନ୍ତି ବୋଲି ସେ କହିଛନ୍ତି।

ଫେବ୍ରୁଆରି ୨୪ ଓ ୨୫ ତାରିଖ ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗୁଜରାଟର ଅହମଦାବାଦ ଏବଂ ନୂଆଦିଲ୍ଲୀ ଗସ୍ତରେ ଯିବା କଥା ହ୍ଵାଇଟ୍‌ ହାଉସ୍‌ ଘୋଷଣା କରିବାର ଦିନକ ପରେ ଓଭାଲ୍‌ ଅଫିସ୍‌ରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି: ମୁଁ ଭାରତ ଯିବାକୁ ଚାହିଁ ବସିଛି।

ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍‌ କହିଲେ: ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ମୋର ବନ୍ଧୁ। ସେ ଅତି ଭଦ୍ରଲୋକ।

ସପ୍ତାହ ଶେଷ ଦିନ ସେ ମୋଦୀଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ କୋଟି କୋଟି ଜନତା ତାଙ୍କୁ ବିମାନ ବନ୍ଦରରୁ ଷ୍ଟାଡିୟମ୍‌ ଯାଏଁ ପାଛୋଟି ନେବେ।

Image Source: The Hindu

ଦିନକ ପୂର୍ବରୁ ପ୍ରାୟ ୫୦ ହଜାର ଜନତା ସମବେତ ହୋଇଥିବା ‘ନିୟୁ ହାମ୍ପ୍‌ସାୟର୍‌’ରେ ଅନୁଷ୍ଠିତ ରାଲିକୁ ଉଦ୍ଦେଶ୍ୟ କରି ରାଷ୍ଟ୍ରପତି ଟିକେ ବିଦ୍ରୂପ କରି କହିଲେ କି, ଏତିକି ସଂଖ୍ୟକ ଜନ ସମାବେଶରେ ସେ ଆନନ୍ଦିତ ନୁହନ୍ତି।

ସେ କହିଲେ: ଆମର ୫୦ ହଜାର ଜନସମାଗମ ହୋଇଥିଲା, ମୁଁ ସେତେ ଆନନ୍ଦିତ ନୁହେଁ…। କିନ୍ତୁ (ଭାରତରେ) ବିମାନ ବନ୍ଦରରୁ ନୂଆ ଷ୍ଟାଡିୟମ୍‌ ଯାଏଁ ୫ରୁ ୭ ନିୟୁତ ଜନ ସମାଗମ ହେବ। ଜାଣ, ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ୍‌ ସେମାନେ ନିର୍ମାଣ କରୁଛନ୍ତି। ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଲାଣି।

ଭାରତ ସହ ବାଣିଜ୍ୟିକ ଚୁକ୍ତି ବିଷୟ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍‌ କହିଲେ କି, ଯଦି ଉଚିତ ରାଜିନାମା ହୁଏ ସେ ସ୍ୱାକ୍ଷର କରିବେ।

ସମ୍ବନ୍ଧିତ ଖବର