ଓ୍ଵାସିଂଟନ୍: ମହାଭିଯୋଗରେ ଅଭିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ବିଚାରରେ ଦୋଷମୁକ୍ତ ହୋଇଛନ୍ତି। ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ହେବାକୁ ଆଶାୟୀ ଟ୍ରମ୍ପ୍ଙ୍କୁ ୯ ମାସ ହେବ ସମର୍ଥନ କରିଆସୁଥିବା ତାଙ୍କ ଦଳୀୟ ସାଂସଦମାନେ (ରିପବ୍ଲିକାନ୍ ପାର୍ଟି) ତାଙ୍କୁ ବହିଷ୍କୃତ ହେବାରୁ ରକ୍ଷା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ମହାଭିଯୋଗରେ ସମ୍ମୁଖୀନ ହୋଇଥିବା ତୃତୀୟ ରାଷ୍ଟ୍ରପତି ହେଉଛନ୍ତି ବ୍ୟବସାୟୀରୁ ରାଜନେତା ପାଲଟିଥିବା ୭୩ ବର୍ଷିୟ ଟ୍ରମ୍ପ୍। କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି ଆମେରିକୀୟ ରାଷ୍ଟ୍ରପତି ସିନେଟ୍ ଦ୍ୱାରା ବହିଷ୍କାର ହୋଇ ନାହାନ୍ତି।
ଆମେରିକା ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ଙ୍କ ଅଧ୍ୟକ୍ଷତାରେ ଏହି ବିଚାର ବୈଠକ ବସିଥିଲା। ନିରପେକ୍ଷ ବିଚାର କରିବାକୁ ଶପଥ ନେଇଥିବା ସିନେଟର୍ମାନେ ଠିଆ ହୋଇ ‘ରୋଲ୍ କଲ୍’ର (ଟ୍ରମ୍ପ୍ ଦୋଷୀ କି, ଦୋଷୀ ନୁହନ୍ତି ବୋଲି କହିବାକୁ ପ୍ରତ୍ୟେକ ସିନେଟର୍ଙ୍କ ନାମ ଡକାଯାଇଥିଲା।) ଜବାବ (ଭୋଟ୍) ଦେଇଥିଲେ। ତୁରନ୍ତ ସିନେଟର୍ମାନଙ୍କ ଭୋଟ୍ ଗଣନା କରାଯିବା ପରେ ‘ଟ୍ରମ୍ପ୍ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ’ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ଟ୍ରମ୍ପ୍ଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ୍ ମିଳିଥିଲା।
ପ୍ରଥମ ଅଭିଯୋଗ ଥିଲା- ଡେମୋକ୍ରାଟିକ୍ ପାର୍ଟିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ୍ଙ୍କ ବିରୋଧରେ ତଦନ୍ତ କରିବାକୁ ଟ୍ରମ୍ପ୍ ୟୁକ୍ରେନ୍କୁ ଅନୁରୋଧ କରିଥିଲେ। ଦ୍ୱିତୀୟ ଅଭିଯୋଗ ହେଲା ସେ ନିଜର କ୍ଷମତାର ଅପବ୍ୟବହାର କରି କଂଗ୍ରେସର ତଦନ୍ତରେ ବାଧା ଉପୁଜାଇଥିଲେ।