ନୂଆଦିଲ୍ଲୀ: ଅହମଦାବାଦ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଫାଷ୍ଟ୍‍ ଲେଡି ମେଲାନିଆ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍‌ ସୋ’ କରି ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ ଓ ମେଲାନିଆଙ୍କୁ ଫୁଲମାଳ ଦିଆଯାଇ ସ୍ୱାଗତ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କୁ ସାବରମତୀ ଆଶ୍ରମ ବୁଲାଇ ଦେଖାଇ ଥିଲେ।

Advertisment

ଏହାପରେ ରାଷ୍ଟ୍ରପତି ଦମ୍ପତି ସାବରମତୀ ଆଶ୍ରମରେ ଥିବା ଅରଟ ଚଳାଇଥିଲେ। ଆଶ୍ରମର କର୍ମୀମାନେ ତାଙ୍କୁ ଅରଟ କଥା ବୁଝାଇବା ସହ ଗାନ୍ଧୀଜୀ କେମିତି ଏଥିରେ ସୂତା କାଟୁଥିଲେ ତାହା କହିଥିଲେ।

ଏହାପରେ ଟ୍ରମ୍ପ ଓ ମେଲାନିଆ ଆଶ୍ରମରେ ଥିବା ଭିଜିଟର୍‌ ବୁକ୍‌ରେ ଥ୍ୟାଙ୍କ୍‌ ୟୁ ନୋଟ୍‌ ଲେଖିଥିଲେ। ସେ ଲେଖିଛନ୍ତି: ମୋର ପରମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଆନନ୍ଦଦାୟକ ଗସ୍ତ ଲାଗି ଧନ୍ୟବାଦ।

ବିମାନ ବନ୍ଦରରୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପରିବାର ଓ ଆମେରିକୀୟ ପ୍ରତିନିଧି ଦଳ କାର୍‌ ସାବରମତୀ ଆଶ୍ରମ ଅଭିମୁଖେ ଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ କଳାକାରମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଦୁଇ ନେତାଙ୍କୁ ସ୍ୱାଗତ ଜଣାଉଥିଲେ। ସେମାନଙ୍କୁ ଦେଖିବାକୁ ବହୁସଂଖ୍ୟକ ଦେଖଣାହାରି ରାସ୍ତାପାର୍ଶ୍ୱରେ ଭିଡ଼ କରିଥିଲେ।

ସାବରମତୀ ଆଶ୍ରମ ପରିଦର୍ଶନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନେ ମୋଟେରା ଷ୍ଟାଡିୟମ ଯାତ୍ରା କରିଛନ୍ତି। ସେଠାରେ ଉଭୟ ନେତା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ମିଳିତ ଉଦ୍‌ବୋଧନ ଦେବେ।