ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନା ନେଉନାହିଁ। ୫୦% ଶୁଳ୍କ ଲଗାଇବା ପରେ ଭାରତ ନମାନିବାରୁ ଏବେ ଆମେରିକା ଆହୁରି ଅଧିକ ଶୁଳ୍କ ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ଉପରେ ଏଭଳି ଶୁଳ୍କ ଭାର ଲଦୁଥିବାରୁ ତାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଭାରତ, ଅତୀତରେ ୨୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇଥିଲା ବୋଲି କହିଛନ୍ତି ଟ୍ରମ୍ପ। ବୁଧବାର ଦିନ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଏକପାଖିଆ ବୋଲି କହିଛନ୍ତି।

Advertisment

ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବାକୁ ଯଥାର୍ଥ ବୋଲି କହିବାର କିଛି ଦିନ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏବେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ଅତୀତରେ ଆମେରିକାର ଅନେକ ସାମଗ୍ରୀ ଉପରେ ସର୍ବାଧିକ ଶୁଳ୍କ ଲାଗୁ କରିଥିଲା। ଏହା ଦ୍ବାରା ଆମେରିକୀୟ କମ୍ପାନିଗୁଡ଼ିକ ପାଇଁ ସେଠାରେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଥିଲା। ଭାରତ ସହିତ ଆମର ସମ୍ପର୍କ ଭଲ ରହିଆସିଛି। କିନ୍ତୁ ବହୁ ବର୍ଷ ଧରି ଏହା ଏକପାଖିଆ ସମ୍ପର୍କ ଥିଲା। ଭାରତ ଆମଠାରୁ ବହୁତ ଅଧିକ ଶୁଳ୍କ ଆଦାୟ କରୁଥିଲା, ଯାହା ବିଶ୍ୱରେ ସର୍ବାଧିକ। ଆମେ ଭାରତ ସହିତ ବହୁତ ଅଧିକ ବ୍ୟବସାୟ କରୁନଥିଲୁ। କିନ୍ତୁ ସେମାନେ ଆମ ସହିତ ବ୍ୟବସାୟ କରୁଥିଲେ। କାରଣ ଆମେ ସେମାନଙ୍କଠାରୁ ମୂର୍ଖ ଭାବରେ ଶୁଳ୍କ ନେଉନଥିଲୁ। ସେମାନେ ଯାହା ତିଆରି କରୁଥିଲେ ତାହା ପ୍ରଚୁର ପରିମାଣରେ ଆମ ଦେଶକୁ ବ୍ୟବସାୟ ପାଇଁ ପଠାଇ ଦେଉଥିଲେ, କାରଣ ଶୁଳ୍କ ବହୁତ କମ ଥିଲା। ହେଲେ ଆମେ ତାହା କରିପାରୁନଥିଲୁ, କାରଣ ଭାରତ ଆମ ସାମଗ୍ରୀ ଉପ‌ରେ ଅଧିକ ଶୁଳ୍କ ଲଗାଉଥିଲା।"

ଉଦାହରଣ ଦେଇ ସେ କହିଛନ୍ତି ଯେ, "ହାର୍ଲି-ଡେଭିଡସନ୍ ଭାରତରେ ନିଜର ବାଇକ୍ ବିକ୍ରି କରିପାରୁନଥିଲା। କାରଣ ଭାରତ ମୋଟରସାଇକେଲ୍ ଉପରେ ୨୦୦ପ୍ରତିଶତ ଶୁଳ୍କ ଲଗାଉଥିଲା। ଏଥିପାଇଁ ବାଧ୍ୟ ହୋଇ ହାର୍ଲି-ଡେଭିଡସନ୍ ଭାରତ ଯାଇ ଏକ ମୋଟରସାଇକେଲ୍ ପ୍ଲାଣ୍ଟ ନିର୍ମାଣ କଲା। ଏବେ ସେମାନଙ୍କୁ ଶୁଳ୍କ ଦେବାକୁ ପଡ଼ୁ ନାହିଁ।"