ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପରବର୍ତ୍ତୀ ଉତ୍ତରାଧୀକାରୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେ ଆମେରିକା ଓ ଚୀନ୍‌

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପରବର୍ତ୍ତୀ ଉତ୍ତରାଧୀକାରୀ ପ୍ରସଙ୍ଗକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ୍‌। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଚୀନ୍‌ର ଚେତାବନୀକୁ ଖଣ୍ଡନ କରି ପରବର୍ତ୍ତୀ ଦଲାଇଲାମାଙ୍କ ଉପରେ ଆଇନରେ ଦସ୍ତଖତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚତୁର୍ଦ୍ଦଶ ଦଲାଇଲାମାଙ୍କ ଉତ୍ତରାଧିକାରୀ ଅଭିଷେକ ପ୍ରସଙ୍ଗରେ ଚୀନ୍‌ ଦାବି କରିଛି ଯେ ପରବର୍ତ୍ତୀ ଆଧ୍ୟାତ୍ମିକ ନେତାଙ୍କ ପାଇଁ ତିବ୍ଦତୀୟମାନଙ୍କୁ ବେଜିଂର ଅନୁମୋଦନ ନେବାକୁ ପଡ଼ିବ।

ହେଲେ, ଚୀନ୍‌ର ଏହି ଦାବୀକୁ ଖଣ୍ଡନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହି ନିୟମ ଉପରେ ଦସ୍ତଖତ କରିଛନ୍ତି ଯାହା ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ତିବ୍ଦତୀୟମାନଙ୍କ ଅଧିକାରକୁ ପୁନଃ ପ୍ରମାଣିତ ଓ ସ୍ଥାପିତ କରିବ। ଯାହାକୁ କି ନିର୍ବାସିତ ତିବ୍ଦତୀୟ ସରକାରଙ୍କ ଦ୍ୱାରା ବାସ କରୁଥିବା ତିବ୍ଦତୀୟମାନଙ୍କ ପାଇଁ ଏକ ଆଶା ଏବଂ ନ୍ୟାୟର ଶକ୍ତିଶାଳୀ ବାର୍ତ୍ତା ଭାବରେ ବର୍ଣ୍ଣନା କରାଯାଉଛି।

ଗତ ସପ୍ତାହରେ ଆମେରିକା କଂଗ୍ରେସ ତିବ୍ଦତ ନୀତି ଏବଂ ସମର୍ଥନ ଆଇନ ପ୍ରଣୟନ କରିବା ସହ ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ତୀବ୍ର ବିରୋଧ କରିଥିଲା। ଅନ୍ୟପକ୍ଷରେ ଚୀନ୍‌ର ଆଭ୍ୟନ୍ତରୀଣ ମାମଲାରେ ଏହାକୁ ଆମେରିକାର ଅନଧିକାର ହସ୍ତକ୍ଷେପ ବୋଲି କହିଥିଲା ଚୀନ୍‌। ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବାକୁ ଏବଂ ଏହି ନକାରାତ୍ମକ ଧାରା ଏବଂ ଆଇନରେ ସ୍ୱାକ୍ଷର ନକରିବାକୁ ଆମେ ଆମେରିକା ପକ୍ଷଙ୍କୁ ଅନୁରୋଧ କରୁଛୁ, ନଚେତ୍‌ ଏହା ଆମର ପରବର୍ତ୍ତୀ ସହଯୋଗ ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ ୱେନବିନ ଗତ ସପ୍ତାହରେ କହିଥିଲେ।

Global Times

ହେଲେ, ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଚୀନ୍‌ର ଚେତାବନୀକୁ ଖଣ୍ଡନ କରି ପରବର୍ତ୍ତୀ ଦଲାଇଲାମାଙ୍କ ଉପରେ ନୂତନ ଆଇନରେ ଦସ୍ତଖତ କରବା ପରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ବେଜିଂ ଆମେରିକାର ଏହି ନୂତନ ଆଇନକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି ଏବଂ ତିବ୍ଦତ ସମ୍ବନ୍ଧୀୟ ପ୍ରସଙ୍ଗ ହେଉଛି ଚୀନ୍‌ର ଘରୋଇ ବ୍ୟାପାର।

ଉଲ୍ଲେଖଯୋଗ୍ୟ, ତିବ୍ଦତୀୟ ଧର୍ମଗୁରୁ ନିର୍ବାସିତ ଦଲାଇଲାମାଙ୍କୁ ଏକ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବରେ ଚିତ୍ରଣ କରୁଥିବା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚୀନ୍‌ ଦାବି କରିଛି ଯେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ବେଜିଂର ଅନୁମୋଦନ ଆବଶ୍ୟକ।
ହେଲେ, ତିବ୍ଦତୀୟମାନେ ଚୀନ୍‌ର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର