ନୂଆଦିଲ୍ଲୀ: ଭାରି ଅବୁଝା ଟ୍ରମ୍ପ୍ଙ୍କ ଅଙ୍କ ! ଭାରତ ସହ ବେପାର ଓ ଟାରିଫ୍ ପ୍ରସଂଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାସ୍ତବରେ ଚାହାନ୍ତି କ’ଣ? ଟାରିଫ୍ ଯୁଦ୍ଧ ଭିତରେ ଏପେଟ ଟ୍ରମ୍ପ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି କହୁଛନ୍ତି। ସେପଟେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି; ଯାହା ଏବେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି। ଟ୍ରମ୍ପ୍ କହିଛନ୍ତି କି ଯଦି ୟୁରୋପୀୟ ଦେଶଗୁଡ଼ିକରେ ଆମେରିକା ସମାନ ଟାରିଫ୍ ବୋମା ଫୁଟାଇବା ତ ରୁଷୀୟ ତୈଳ କିଣିଥିବା ଭାରତ ଓ ଚୀନ ପରି ଦେଶ ଉପରେ ବି ୧୦୦ ପ୍ରତିଶତ ଟାରିଫ୍ ଲାଗିବ।
ମଙ୍ଗଳବାର ଦିନ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ "ବାଣିଜ୍ୟିକ ପ୍ରତିବନ୍ଧକ" ଦୂର କରିବା ପାଇଁ ଆଲୋଚନା ଜାରି ରହିଛି। ଟ୍ରମ୍ପ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଲେଖିଥିଲେ, "ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଏବଂ ଆମେରିକା ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ସପ୍ତାହଗୁଡ଼ିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ଅପେକ୍ଷା କରିଛି। ମୁଁ ନିଶ୍ଚିତ ଯେ ଉଭୟ ମହାନ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ ଆମର କୌଣସି ଅସୁବିଧା ହେବ ନାହିଁ!"
ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାର କିଛି ସପ୍ତାହ ପରେ ଏହି ଘୋଷଣା କରିଥିଲେ ଟ୍ରମ୍ପ୍। ଏହି ସପ୍ତାହର ଆରମ୍ଭରେ, ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏକ ଘୋଷଣା କରିବା ସମୟରେ ଭାରତ-ଆମେରିକା ସମ୍ପର୍କକୁ "ଅତି ବିଶେଷ ସମ୍ପର୍କ" ବୋଲି କହିଥିଲେ ଏବଂ ଦୃଢ଼ କରିଥିଲେ ଯେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ବନ୍ଧୁ ହୋଇ ରହିବେ, "ଚିନ୍ତା କରିବାର କିଛି ନାହିଁ" ବୋଲି ମଧ୍ୟ ସେ କହିଥିଲେ।