ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଲିୟନେୟାର ଏଲନ୍ ମସ୍କଙ୍କ ‘ବ୍ରୋମାନ୍ସ’ (ନିବିଡ଼ ସମ୍ପର୍କ)ର ପରିସମାପ୍ତି ସହ ଏହା ଅତିମାତ୍ରାରେ ତିକ୍ତ ହୋଇଉଠିଛି। ଉଭୟ ଟ୍ରମ୍ପ ଓ ମସ୍କ ପରସ୍ପର ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିବାରୁ ଏହା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମସ୍କଙ୍କ ସହ ସରକାରୀ ଚୁକ୍ତି ଛିନ୍ନ କରିବାକୁ ଟ୍ରମ୍ପ ଧମକ ଦେଇଥିବା ବେଳେ ଏକ୍ସ ସିଇଓ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ କହିଛନ୍ତି। ଟ୍ରମ୍ପଙ୍କ ସିଗ୍ନେଚର ଖର୍ଚ୍ଚ ବିଲ୍କୁ ମସ୍କ ସମାଲୋଚନା କରିବାର ଗୋଟିଏ ଦିନ ପରେ ଟ୍ରମ୍ପ ଅଧିକ ଆକ୍ରମଣାତ୍ମକ ହୋଇଉଠିଛନ୍ତି। ଟ୍ରମ୍ପଙ୍କ ସମାଲୋଚନାର ଜବାବ ଦେଇ ମସ୍କ କହିଛନ୍ତି ଯେ ଟ୍ରମ୍ପଙ୍କ ନୀତି ଦେଶର ଜାତୀୟ ଋଣକୁ ବଢ଼ାଇବ ଏବଂ ନାନା ଜଟିଳ ସମସ୍ୟା ସୃଷ୍ଟି କରିବ। ବର୍ତ୍ତମାନ ଦେଶ ଉପରେ ୩୬.୨ ଟ୍ରିଲିୟନ୍ ଡଲାର ଋଣଭାର ରହିଛି। ଗତକାଲି ଟ୍ରମ୍ପ ନିରବତା ଭଙ୍ଗ କରି ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ ମସ୍କଙ୍କୁ ନେଇ ବହୁତ ନିରାଶ ହୋଇଛନ୍ତି। ସେ ମସ୍କଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ଗତବର୍ଷ ନିର୍ବାଚନରେ ଟ୍ରମ୍ପ ଓ ଅନ୍ୟ ରିପବ୍ଲିକାନ୍ମାନଙ୍କୁ ସମର୍ଥନ କରିବା ପାଇଁ ପ୍ରାୟ ୩୦୦ ନିୟୁତ ଡଲାର ଖର୍ଚ୍ଚ କରିଥିବା ମସ୍କ ଲେଖିଛନ୍ତି, ମୋ ବିନା ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ। ସେ ଜଣେ କୃତଘ୍ନ। ଟେସ୍ଲା ବ୍ୟତୀତ ମସ୍କଙ୍କ ବ୍ୟବସାୟ ମଧ୍ୟରେ ରକେଟ୍ କମ୍ପାନି, ସ୍ପେସ୍ ଏକ୍ସ ଓ ଏହାର ସାଟେଲାଇଟ୍ ୟୁନିଟ୍ ଷ୍ଟାରଲିଙ୍କ୍ ଅନ୍ତର୍ଭୁକ୍ତ। ଆମେରିକା ସରକାରଙ୍କ ମହାକାଶ କାର୍ଯ୍ୟକ୍ରମରେ ମହାକାଶ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ମସ୍କ କହିଛନ୍ତି ଯେ ଟ୍ରମ୍ପଙ୍କ ଧମକ ଯୋଗୁଁ ସେ ‘ସ୍ପେସ୍ ଏକ୍ସ’ର ଡ୍ରାଗନ୍ ମହାକାଶଯାନକୁ ଅଚଳ କରିବା ଆରମ୍ଭ କରିବେ। ଡ୍ରାଗନ୍ ହେଉଛି ଏକମାତ୍ର ଆମେରିକୀୟ ମହାକାଶଯାନ ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ମହାକାଶଚାରୀ ପଠାଇବାରେ ସକ୍ଷମ।
ଆଜି ଯୌନ ଶୋଷଣ ସଂକ୍ରାନ୍ତ ଏପଷ୍ଟିନ ଫାଇଲକୁ ନେଇ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମସ୍କ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ନାମ ଏପ୍ଷ୍ଟିନ ଫାଇଲରେ ରହିଛି। ଟ୍ରମ୍ପଙ୍କ ବିରୋଧରେ ପ୍ରମାଣ ଥିବା ଯୋଗୁଁ ପ୍ରଶାସନ ଏପ୍ଷ୍ଟିନ ଫାଇଲକୁ ସାର୍ବଜନୀନ କରାଉନାହିଁ ବୋଲି ମସ୍କ କହିଛନ୍ତି। ଏହି ଫାଇଲରେ ବରିଷ୍ଠ ରାଜନେତା, ବ୍ୟବସାୟୀ ଓ ସେଲିବ୍ରିଟିଙ୍କ ଯୌନ ଶୋଷଣ ପାଇଁ ନାବାଳିକା ଚୋରା ଚାଲାଣ ସଂକ୍ରାନ୍ତ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଗୁରୁବାର ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି ଯେ ଏହି ବିଲ୍ ଉପରେ ମସ୍କଙ୍କ ମତ ରାଷ୍ଟ୍ରପତି ଟ୍ରମ୍ପଙ୍କ ମତାମତକୁ ବଦଳାଇବ ନାହିଁ। ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ୍ ଓ ମସ୍କ ତାଙ୍କ ଏକ୍ସରେ ପରସ୍ପର ବିରୋଧରେ ଅଧିକ ବ୍ୟକ୍ତିଗତ କଟାକ୍ଷ କରିବା ପରେ ପୂର୍ବର ଘନିଷ୍ଠ ସମ୍ପର୍କ ଭାଙ୍ଗି ଯାଇଥିଲା। ଟ୍ରମ୍ପ କହିଥିଲେ, ଆମ ବଜେଟରେ କୋଟି କୋଟି ଡଲାର ଅର୍ଥ ସଞ୍ଚୟ କରିବାର ସବୁଠାରୁ ସହଜ ଉପାୟ ହେଉଛି ଏଲନ୍ଙ୍କ ସରକାରୀ ସବ୍ସିଡି ଓ ଚୁକ୍ତିକୁ ବନ୍ଦ କରିବା। ମୁଁ ଆଶ୍ଚର୍ଯ୍ୟ ଯେ ବାଇଡେନ୍ ଏହା କରିନାହାନ୍ତି ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ୍ରେ ପୋଷ୍ଟ କରିଛନ୍ତି। ପରେ ଟ୍ରମ୍ପଙ୍କ ପୋଷ୍ଟ୍ର ଜବାବ ଦେଇ ମସ୍କ ଲେଖିଛନ୍ତି ଯେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିବା ଉଚିତ ଏବଂ ଜେଡି ଭାନ୍ସ ତାଙ୍କ ସ୍ଥାନ ନେବା ଉଚିତ। ତେବେ ଟ୍ରମ୍ପଙ୍କ ରିପବ୍ଲିକାନମାନେ କଂଗ୍ରେସର ଉଭୟ କକ୍ଷରେ ସଂଖ୍ୟାଗରିଷ୍ଠତା ରଖିଛନ୍ତି ଏବଂ ତାଙ୍କ ବିରୋଧରେ ମହାଭିଯୋଗ ଆସିବାର ସମ୍ଭାବନା ନାହିଁ।