ଵାସିଂଟନ: ନ୍ୟୁୟର୍କର ଏକ ଅଦାଲତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ବ୍ୟବସାୟିକ ରେକର୍ଡରେ ଜାଲିଆତି କରି ତଥ୍ୟ ଲୁଚାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଟ୍ରମ୍ପ ଓ ତାଙ୍କ ତତ୍କାଳୀନ ଫିକ୍ସର ମାଇକେଲ କୋହେନ୍ ରାଜ୍ୟ ଓ ସଂଘୀୟ ଆଇନକୁ ଉଲ୍ଲଂଘନ କରି ଜଣେ ବୟସ୍କ ଚଳଚ୍ଚିତ୍ର ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଗୁପ୍ତ ଦେୟ ପ୍ରଦାନ କରିଥିଲେ। ଜୁରି ଟ୍ରମ୍ପଙ୍କୁ ସମସ୍ତ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହି ରାୟ ଆମେରିକା ଗଣତନ୍ତ୍ରରେ ଦୁଇଟି ଦୃଷ୍ଟିକୋଣରୁ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଥର ପାଇଁ କୌଣସି ଆପରାଧିକ ମାମଲାରେ କୌଣସି ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ଦୁଇ ପ୍ରମୁଖ ଦଳ ମଧ୍ୟରୁ ଗୋଟିଏ ଦଳର ପ୍ରାର୍ଥୀ ହୋଇଛନ୍ତି ଏବଂ ବାସ୍ତବରେ ଚଳିତ ନିର୍ବାଚନ ଆଧାରରେ ସେ ପୁଣି ଥରେ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି। ଭାରତ ଭଳି ଆମେରିକୀୟ ଆଇନ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରେ ନାହିଁ।
ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ ଦଣ୍ଡାଦେଶ ଦିଆଯିବ। ପ୍ରୋବେସନଠାରୁ ଆରମ୍ଭ କରି ୪ ବର୍ଷ ଜେଲ ଦଣ୍ଡାଦେଶ ପର୍ଯ୍ୟନ୍ତ ବିଚାରପତିଙ୍କ ପାଖରେ ଏଭଳି ମାମଲାରେ ଅନେକ ଆଇନଗତ ବିକଳ୍ପ ରହିଛି ଏବଂ ପ୍ରାର୍ଥୀଙ୍କ ପ୍ରୋଫାଇଲକୁ ଦୃଷ୍ଟିରେ ରଖି ଦଣ୍ଡର ପ୍ରକୃତି ବିଷୟରେ ଅନିଶ୍ଚିତତା ରହିଛି।
ଟ୍ରମ୍ପ୍ ଏହି ରାୟକୁ 'ଜାଲିଆତି' ବୋଲି କହିବା ସହ ବିଚାରପତି ଓ ପ୍ରସିକ୍ୟୁଟରଙ୍କ ଉପରେ ଆପତ୍ତି ଉଠାଇଥିଲେ। ଜଣେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଦାଉ ସାଧିବାକୁ ଚାହୁଥିବା ଜୋ ବାଇଡେନ୍ ପ୍ରଶାସନକୁ ସେ ଏଥିପାଇଁ ଦାୟୀ କରିଛନ୍ତି। ଦୁର୍ନୀତିଗ୍ରସ୍ତ ଜଣେ ବିବାଦୀୟ ବିଚାରପତିଙ୍କ ଦ୍ୱାରା ଏହା ଏକ ଠକେଇ ମାମଲାର ଶୁଣାଣି ଥିଲା ବୋଲି ଟ୍ରମ୍ପ ନ୍ୟୁୟର୍କର କୋର୍ଟ ରୁମ୍ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି। ସେ ଦେଶ ଓ ସମ୍ବିଧାନ ପାଇଁ ଲଢ଼ୁଛନ୍ତି ବୋଲି ଦାବି କରି ଟ୍ରମ୍ପ ଆହୁରି କହିଛନ୍ତି, ନଭେମ୍ବର ୫ ତାରିଖରେ ଲୋକମାନେ ପ୍ରକୃତ ରାୟ ଶୁଣାଇବେ। ସେମାନେ ଜାଣନ୍ତି ଏଠାରେ କ’ଣ ଘଟିଥିଲା ମୁଁ ଅତ୍ୟନ୍ତ ନିରୀହ ମଣିଷ।
ବ୍ୟବସାୟିକ ରେକର୍ଡରେ ଜାଲିଆତି ଅଭିଯୋଗ
ରାୟକୁ ‘ଜାଲିଆତି’ କହିଲେ
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଓଭାଲ୍ ଅଫିସ୍ରୁ ଦୂରେଇ ରଖିବାର ଏକମାତ୍ର ଉପାୟ ରହିଛି ବାଲଟ୍ ବକ୍ସରେ। କେହି ବି ଆଇନଠାରୁ ଊର୍ଦ୍ଧ୍ୱରେ ନୁହନ୍ତି। ସେ ଟ୍ରମ୍ପଙ୍କୁ 'ଗଣତନ୍ତ୍ର ପ୍ରତି ବିପଦ' ଭାବରେ ଅଭିହିତ କରିଛନ୍ତି। ତେବେ ଏହି ରାୟର ରାଜନୈତିକ ପ୍ରଭାବ ବିଶେଷ ହୋଇନପାରେ। କାରଣ ରାୟ ଆସିବା ପୂର୍ବରୁ କରାଯାଇଥିବା ଏନ୍ପିଆର-ପିବିଏସ୍ ସର୍ଭେ ଅନୁଯାୟୀ, ୬୭% ଉତ୍ତରଦାତା କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ମତଦାନ ନିଷ୍ପତ୍ତି ପ୍ରଭାବିତ ହେବ ନାହିଁ, ୧୭% କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେଲେ ସେମାନେ ଟ୍ରମ୍ପଙ୍କୁ ଭୋଟ୍ ଦେବାର ସମ୍ଭାବନା କମ୍ ହେବ ଏବଂ ୧୫% କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହେଲେ ସେମାନେ ଟ୍ରମ୍ପଙ୍କୁ ଭୋଟ୍ ଦେବାର ସମ୍ଭାବନା ଅଧିକ ହେବ।
ବଢ଼ିଚାଲିଛି ଟ୍ରମ୍ପ୍ଙ୍କ ନିର୍ବାଚନୀ ପାଣ୍ଠି, ୱେବ୍ସାଇଟ୍ ଅଚଳ
ୱାସିଂଟନ୍: ପର୍ନ ଅଭିନେତ୍ରୀଙ୍କ ସହ ଯୌନ କେଳେଙ୍କାରୀ ମାମଲା ରଫାଦଫା କରିବାକୁ ଲାଞ୍ଚ କାରବାର ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନ୍ୟୁୟର୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି। କିନ୍ତୁ ଏହି ଘଟଣା ତାଙ୍କ ନିର୍ବାଚନ ପ୍ରଚାର ନିମନ୍ତେ ଅର୍ଥ ସଂଗ୍ରହ ଅଭିଯାନକୁ ଦବାଇପାରିନାହିଁ। ଟ୍ରମ୍ପ୍ ଦୋଷୀ ସାବ୍ୟସ୍ତ ହେବା ପ୍ରସାରିତ ହେବା ପରେ ତାଙ୍କର ଅର୍ଥ ସଂଗ୍ରହ ନିମନ୍ତେ ନିର୍ମାଣ କରାଯାଇଥିବା ଡୋନାଲ୍ଡ୍ଜେଟ୍ରମ୍ପ୍ଡଟ୍ କମ୍ର ୱିନ୍ରେଡ୍ ପେଜ୍କୁ ଦାନର ସୂଅ ଛୁଟିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ବୁଧବାର ସଂଧ୍ୟାରେ ପ୍ରାୟ ଅଧଘଣ୍ଟା ଯାଏଁ ୱେବ୍ସାଇଟ୍ଟି ଅଚଳ ହୋଇଯାଇଥିଲା। ବୁଧବାର ଏନେଇ ଟ୍ରମ୍ପ୍ଙ୍କ ପ୍ରଚାର ଅଭିଯାନ ଉପଦେଷ୍ଟା କ୍ରିସ୍ ଲାସିଭିଟା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମେରିକାର ଲକ୍ଷଲକ୍ଷ ଦେଶପ୍ରେମୀ ଟ୍ରମ୍ପ୍ଙ୍କ ଅଭିଯାନକୁ ଆର୍ଥିକ ସହାୟତା ଦେବାକୁ ଚାହାନ୍ତି। କାରଣ ଟ୍ରମ୍ପ୍ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପଛରେ ଜୋ ବାଇଡେନ୍ଙ୍କ ଷଡ଼ଯନ୍ତ୍ରକୁ ସେମାନେ ବୁଝିପାରିଛନ୍ତି। ଦାନର ସଂଖ୍ୟା ବୃଦ୍ଧି ଯୋଗୁଁ ୱେବ୍ସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି ହୋଇଥିଲା। ସେହିଭଳି ଟ୍ରମ୍ପ୍ଙ୍କ ଅଭିଯାନ ପ୍ରତିନିଧି ଲି ଜେଲ୍ଡିନ୍ କହିଛନ୍ତି ଯେ କୋର୍ଟଙ୍କ ଏହି ରାୟ ଅନୁଦାନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ରାୟର କିଛି ସମୟ ମଧ୍ୟରେ ୮ଲକ୍ଷ ଡଲାର୍(୬ କୋଟି ୬୬ଲକ୍ଷ ୯୦ହଜାର ୩୨୦ ଟଙ୍କା) ଅନ୍ଲାଇନ୍ ଦାନ ସଂଗ୍ରହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/trump-1.jpg)