ଶିଖର ବୈଠକକୁ ବିରାଟ ସଫଳତା ବୋଲି କହିଲେ କିମ୍‌ ଜଙ୍ଗ ଉନ ଓ ଡୋନାଲ୍‌ଡ ଟ୍ରମ୍ପ: ସ୍ୱାକ୍ଷରିତ ହେଲା ୪ଟି ଚୁକ୍ତି

ସିଙ୍ଗାପୁର: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଆୟୋଜିତ ହୋଇ ଯାଇଥିବା ବହୁ ପ୍ରତିକ୍ଷୀତ ଐତିହାସିକ ଶିଖର ବୈଠକକୁ ଏକ ବିରାଟ ସଫଳତା ବୋଲି ବୈଠକ ଶେଷରେ କହିଛନ୍ତି ଉଭୟ ନେତା।
ସିଙ୍ଗାପୁର ସେଣ୍ଟାସା ଦ୍ୱୀପର କାପ୍ରେ-ଲା ହୋଟେଲ ପରିସରରେ ଆୟୋଜିତ ଏହି ଶିଖର ବୈଠକରେ ଉଭୟ ନେତା ଦୁଇଟି ପର୍ଯ୍ୟାୟରେ ଦୀର୍ଘ ୪୮ ମିନିଟ ପାଇଁ ‘ଓ୍ଵାନ୍‌ ଟୁ ଓ୍ଵାନ୍‌’ ଆଲୋଚନା କରିସାରିବା ପରେ ଉଭୟ ନେତା ମିଳିତ ଭାବେ କହିଛନ୍ତି ଯେ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଜି ଏକ ନୂତନ ଭିତ୍ତିପ୍ରସ୍ତର ସ୍ଥାପିତ ହେବା ସହ ଆମେରିକା ଓ ଉତ୍ତର କୋରିଆ ଦ୍ୱିପାକ୍ଷିକ ସଂପର୍କରେ ଏକ ନୂତନ ଯୁଗର ଅୟମାରମ୍ଭ ହେଲା।

ଉଭୟ ନେତାଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ବୈଠକର ଅଦ୍ଭୁତପୂର୍ବ ସଫଳତା ପରେ ଉଭୟ ନେତା ୪ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ସ୍ୱାକ୍ଷର ମଧ୍ୟ କରିଛନ୍ତି। ସ୍ୱାକ୍ଷରିତ ହୋଇଥିବା ଚାରିଟି ଚୁକ୍ତି ମଧ୍ୟରୁ ପ୍ରଥମ ଚୁକ୍ତିଟି ହେଲା: ଏଣିକି ଉଭୟ ରାଷ୍ଟ୍ରର ଜନତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବା ସହ ଉଭୟେ ଉଭୟଙ୍କର ବିକାଶ କ୍ଷେତ୍ରରେ ସହଯୋଗ କରିବେ। ଦ୍ୱିତୀୟ ଚୁକ୍ତିଟି ହେଲା: ସମଗ୍ର କୋରିଆ ଉପଦ୍ୱୀପ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ତୃତୀୟ ଚୁକ୍ତଟି ହେଲା: ସମଗ୍ର କୋରିଆ ଉପଦ୍ୱୀପ ଅଞ୍ଚଳରେ ସଂପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଚତୁର୍ଥ ଚୁକ୍ତିଟି ହେଲା: ବିକାଶମୂଳକ କାର୍ଯ୍ୟକ୍ରମରେ ଉଭୟ ଦେଶ ପରସ୍ପରର ସହଭାଗିତା କରିବେ।
ଆଜିର ବୈଠକର ସଫଳତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନଙ୍କୁ ହ୍ଵାଇଟ୍‌ ହାଉସ୍‌କୁ ମଧ୍ୟ ନିମନ୍ତ୍ରଣ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର