ନୂଆଦିଲ୍ଲୀ: ମୁଁ ଏବେ ବି ବଞ୍ଚିଛି... ଏଭଳି କହି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ଜୀବିତ ଥିବା ନେଇ ସ୍ପଷ୍ଟ କରିଛନ୍ତି। କିଛି ଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୋସିଆଲ ମିଡିଆରେ ଗୁଜବ ବ୍ୟାପିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ଟ୍ରମ୍ପ ଇଜ୍ ଡେଡ୍' ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିଥିଲା। ଏବେ ଟ୍ରମ୍ପ ପ୍ରତିକ୍ରିୟା ରଖି ଗଣମାଧ୍ୟମ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, "ମୁଁ ଗୋଟାଏ ସାମ୍ବାଦିକ ସମ୍ମିଳନୀ କଲିନି ବୋଲି ମୋତେ ମୃତ ଘୋଷଣା କରିଦିଆଗଲା। ସେଥିପାଇଁ ମୁଁ ଆଜି ସାମ୍ବାଦିକ ସମ୍ମିଳନୀ ପାଇଁ ଗଣମାଧ୍ୟମକୁ ୩ଘଣ୍ଟା ସମୟ ଦେଇଛି।"
ତାଙ୍କ କହିବା ମୁତାବକ, "ଗଣମାଧ୍ୟମ ବହୁତ ଭଲ କାମ କରୁଛି, କେବଳ ଗୋଟିଏ ଗୁଜବକୁ ଛାଡ଼ି ଦେଲେ। ମୁଁ ଲଗାତାର ୮ଦିନ ଧରି ସାମ୍ବାଦିକ ସମ୍ମିଳନୀ କରିଥିଲି। ହେଲେ ଗୋଟାଏ ଦିନ ମୁଁ ସାମ୍ବାଦିକ ସମ୍ମିଳନୀ କରିପାରିନଥିଲି। କାରଣ ମୁଁ ଏକ ବୈଠକରେ ଯୋଗଦେବାକୁ ଥିବାରୁ ଓଭାଲ୍ ଅଫିସରେ ଥିଲି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଲା ସତ। କିନ୍ତୁ ତା'ପରେ ଗୁଜବ ବ୍ୟାପିବାକୁ ଲାଗିଲା ଯେ, ଟ୍ରମ୍ପ ଆଉ ନାହାନ୍ତି। ମୁଁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ନକରିବା ଏତେ ବଡ଼ ଗୁଜବ ସୃଷ୍ଟି କରିଥିଲା, ତେଣୁ ମୁଁ ଆଜି ସେମାନଙ୍କୁ (ଗଣମାଧ୍ୟମ) ୩ଘଣ୍ଟା ସମୟ ଦେଇଛି।"
କିଛି ଦିନ ତଳେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁଜବ ଦ୍ରୁତ ଗତିରେ ବ୍ୟାପିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ #TrumpIsDead ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରିଥିଲା। ହ୍ୱାଇଟ୍ ହାଉସ୍ ଏକ ଖାଲି ସୂଚୀ ପ୍ରକାଶ କରିବା ପରେ କଳ୍ପନାଜଳ୍ପନା ବୃଦ୍ଧି ପାଇଥିଲା। ହେଲେ ଟ୍ରମ୍ପ ଗଲ୍ଫ ଖେଳୁଥିବାର ଏକ ଫଟୋ ପୋଷ୍ଟ କରି ଗୁଜବକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ନକଲି ବୋଲି କହିଥିଲେ।
ଏହି ହ୍ୟାସଟ୍ୟାଗ୍ ଆହୁରି ଭାଇରାଲ୍ ହୋଇଗଲା ଯେତେବେଳେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ, ସେ କୌଣସି ଖରାପ ପରିସ୍ଥିତି ଆସିଲେ ରାଷ୍ଟ୍ରପତି ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।