ଓ୍ଵାସିଂଟନ : କରୋନା ସଂକ୍ରମିତ ହୋଇ ଓ୍ଵାଲଟର ରିଡ୍ ଜାତୀୟ ସାମରିକ ହସପିଟାଲରେ ଗତ ୪ ଦିନ ଧରି ଚିକିତ୍ସିତ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ହ୍ଵାଇଟ ହାଉସ ଫେରିଆସିଛନ୍ତି । ତେବେ ଏବେ ବି ସେ ସଂପୂର୍ଣ୍ଣଭାବେ ସଂକ୍ରମଣମୁକ୍ତ ହୋଇନଥିବା ସତ୍ତ୍ୱେ ନିଜ ମୁହଁରୁ ମାସ୍କ ଖୋଲିଦେଇଛନ୍ତି ।
ହସପିଟାଲରୁ ଫେରିବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ କରୋନାକୁ ନେଇ ଆମେରିକାବାସୀ ସତର୍କ ରୁହନ୍ତୁ, କିନ୍ତୁ ଏହାକୁ ଡରନ୍ତୁ ନାହିଁ, ଏହାକୁ ନିଜ ଜୀବନ ଉପରେ ପ୍ରଭାବ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଏବେ ସୁସ୍ଥ ଅନୁଭବ କରୁଛି, ବୋଧହୁଏ ମୋର ପ୍ରତିରୋଧକଶକ୍ତି ଆସିଯାଇଛି, ମୁଁ ଠିକଭାବେ ଜାଣିନାହିଁ "।
— Donald J. Trump (@realDonaldTrump) October 5, 2020
ଟ୍ରମ୍ପଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇନାହାନ୍ତି । ତାଙ୍କ ଉପରୁ ବିପଦ ହଟିନି। କିନ୍ତୁ ସେ ଘରକୁ ଯିବା ପାଇଁ ଯୋଗ୍ୟ ହୋଇଯାଇଛନ୍ତି । ତାଙ୍କର ଅମ୍ଳଜାନ ସ୍ତର ସ୍ୱାଭାବିକ ରହିଛି । ତାଙ୍କୁ ଦିଆଯାଉଥିବା ରାମଡେସଭିରର ୫ମ ଡୋଜ ତାଙ୍କୁ ହ୍ଵାଇଟ ହାଉସରେ ଦିଆଯିବ ।
ହ୍ଵାଇଟହାଉସ ଫେରିବା ପରେ ଟ୍ରମ୍ପ ଆସନ୍ତା ୧୫ ତାରିଖରେ ମାୟାମିଠାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତିସ୍ତରୀୟ ବିତର୍କରେ ଭାଗନେବେ ।