ପୁଲ୍‌ଓ୍ଵାମା ଆକ୍ରମଣକୁ ଭୟାବହ କହିଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଜୈଶ୍‌-ଏ-ଅହମ୍ମଦ୍‌ କରିଥିବା ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ମଙ୍ଗଳବାର ଦିନ ଗୋଟାଏ ଭୟାବହ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ଏ ସଂକ୍ରାନ୍ତରେ ଖବର ପାଉଛନ୍ତି ଏବଂ ଠିକଣା ସମୟରେ ବିବୃତି ଦେବେ।

ଏହି ଆତ୍ମଘାତୀ ଆକ୍ରମଣ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି ଏବଂ ଟ୍ରମ୍ପ୍‌ ହ୍ଵାଇଟ୍‌ ହାଉସ୍‌ର ଓଭାଲ୍‌ ଅଫିସ୍‌ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏ ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ବନ୍ଧୁଭାବାପନ୍ନ ହୋଇ ଚଳିଳେ ଅତି ଉତ୍ତମ ହୁଅନ୍ତା।

ସାମ୍ବାଦିକମାନଙ୍କର ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ: ମୁଁ ଦେଖିଛି। ଏ ସମ୍ବନ୍ଧରେ ମୁଁ ଗୁଡ଼ାଏ ଖବର ପାଇଛି। ଠିକଣା ସମୟରେ ଏ ସମ୍ବନ୍ଧରେ ଆମେ ବିବୃତି ଦେବୁ। ଯଦି ସେମାନେ ମିଳିମିଶି ଚଳନ୍ତେ ଭାରି ଭଲ ହୁଅନ୍ତା। ଆତଙ୍କବାଦୀ ଆକ୍ରମଣ ଗୋଟାଏ ବିଭୀଷିକାମୟ ପରିସ୍ଥିତି।

ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ ଡେପୁଟି ମୁଖପାତ୍ର ରବର୍ଟ ପାଲାଡିନୋ କହିଛନ୍ତି ଭାରତ ସରକାରଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା ଯୋଗାଯୋଗ ରଖିଛି। ଆମେ କେବଳ ଦୁଃଖ ପ୍ରକାଶ କରୁନାହୁଁ, ଦୃଢ଼ ସମର୍ଥନ ମଧ୍ୟ ଜଣାଉଛୁ।

ସମ୍ବନ୍ଧିତ ଖବର