ୱାସିଂଟନ : କଶ୍ମୀରରେ ଏବେ ପରିସ୍ଥିତି ‘ବିସ୍ଫୋରକ’ ହୋଇଉଠିଛି ଏବଂ ଏହି ବିବାଦ ଅତ୍ୟନ୍ତ ଜଟିଳ ରୂପ ନେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଭାରତ ଓ ପାକିସ୍ତାନ ଏହି ମାମଲାରେ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେବାକୁ ହେବ ଏବଂ ଉଭୟ ରାଷ୍ଟ୍ର ଚାହିଲେ ସେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ବୋଲି ଟ୍ରମ୍ପ୍ ଦୋହରାଇଛନ୍ତି। ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜି-୭ ସମ୍ମିଳନୀ ଅବସରରେ ସାକ୍ଷାତ ବେଳେ ସେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଟ୍ରମ୍ପ୍ କହିଛନ୍ତି। କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ସଂପର୍କ ଅତିମାତ୍ରାରେ ତିକ୍ତ ହୋଇଉଠିଛି ଏବଂ ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ସେ ପଛଘୁଞ୍ଚା ଦେବେନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି। କଶ୍ମୀରରେ ଉଭୟ ହିନ୍ଦୁ ଏବଂ ମୁସ୍ଲିମ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ଠାକ୍ ଚାଲିଛି ବୋଲି ମୁଁ କହିପାରିବି ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି।
ଦୁଇଦିନ ତଳେ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩୦ ମିନିଟ୍ ଧରି ଫୋନ୍ରେ କଥାବାର୍ତ୍ତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। ମୋଦୀଙ୍କ ସହ ୩୦ ମିନିଟ୍ର କଥାବାର୍ତ୍ତା ସମୟରେ ମୋଦୀ ପଡ଼ୋଶୀ ରାଷ୍ଟ୍ରଦ୍ବାରା ଭାରତ ବିରୋଧରେ ଅତ୍ୟଧିକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦିଆଯାଉଥିବା ପ୍ରସଙ୍ଗ ଉଠାଇଥିଲେ। ପରେ ଏହି ପ୍ରସଙ୍ଗରେ ଟ୍ରମ୍ପ୍ ଇମ୍ରାନ୍ଙ୍କ ସହ ମଧ୍ୟ ଫୋନ୍ରେ କଥା ହୋଇଥିଲେ ଏବଂ ଭାରତ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ନ ଦେବାପାଇଁ ସତର୍କ କରାଇ ଦେଇଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ଅବସାନ ଜରୁରୀ ବୋଲି ଟ୍ରମ୍ପ୍ ଆଜି କହିଛନ୍ତି। ଅନ୍ୟପକ୍ଷେ ଇମ୍ରାନ୍ ଖାନ୍ ଉତ୍ତେଜନା ହ୍ରାସ ଦିଗରେ ଭାରତ ସରକାର ସହ ତାଳମେଳ ରଖି ପଦକ୍ଷେପ ନେବା ଉଚିତ ବୋଲି ଟ୍ରମ୍ପ୍ ଗୁରୁତ୍ବାରୋପ କରିଛନ୍ତି। ଇମ୍ରାନ ନିକଟରେ କହିଥିଲେ ଯେ ଭାରତ ସରକାର ପାକିସ୍ତାନକୁ ବାରମ୍ବାର ଧମକ ଦେଉଛନ୍ତି ଏବଂ ଭାରତରେ ଥିବା ସଂଖ୍ୟାଲଘୁମାନଙ୍କୁ ମଧ୍ୟ ଧମକ ଦିଆଯାଉଛି। କଶ୍ମୀରକୁ ନେଇ ବଢ଼ୁଥିବା ଉତ୍ତେଜନାକୁ ରୋକିବା ଦିଗରେ ଇମ୍ରାନ ବିଶ୍ବ ସମୁଦାୟର ହସ୍ତକ୍ଷେପ ଲୋଡ଼ିଥିଲେ। ନିକଟରେ ଜାତିସଂଘରେ ଧାରା ୩୭୦ ହଟାଯିବା ପ୍ରସଙ୍ଗରେ ଆମେରିକା ଭାରତକୁ ସମର୍ଥନ କରି ଏହା ଆଭ୍ୟନ୍ତରୀଣ ମାମଲା ବୋଲି କହିଥିବା ବେଳେ ଏହାକୁ ବ୍ରିଟେନ୍, ରୁଷ୍ ଏବଂ ଫ୍ରାନ୍ସ ଦୃଢ଼ ସମର୍ଥନ କରିଥିଲେ। ଏଥିରେ ବିଚଳିତ ପାକିସ୍ତାନ ଏବେ କଶ୍ମୀରକୁ ନେଇ ବିଶ୍ବ ସମୁଦାୟରେ ନୂଆ ବିଭ୍ରାନ୍ତି ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି।