ଟ୍ରମ୍ପ୍‌ଙ୍କ ଧମକ : ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରିବୁ

ଓ୍ୱାସିଂଟନ୍‌ : ଇରାନ୍‌ର କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନୀଙ୍କୁ ଆମେରିକା ଆକ୍ରମଣ କରି ହତ୍ୟା କରିବା ପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଏବେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଇରାନ୍‌ ଯଦି କୌଣସି ଆମେରିକୀୟ ନାଗରିକ କିମ୍ବା ଆମେରିକାର କୌଣସି ପ୍ରତିଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ଅଛି ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଆମେରିକା ଇରାନ୍‌ ଉପରେ ଏଭଳି ଭୟାନକ ଓ ତୀବ୍ର ଆକ୍ରମଣ କରିବ ଯେମିତି ଅତୀତରେ କେବେ ଘଟି ନଥିଲା। ଟ୍ରମ୍ପଙ୍କ ଏଭଳି ଧମକ ଆଜି ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଟ୍ବିଟ୍‌ କରି ଟ୍ରମ୍ପ୍‌ କହିଛନ୍ତି ଯେ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ୍‌ ଆମେରିକାର କେତେକ ଅନୁଷ୍ଠାନ ଉପରେ ଆକ୍ରମଣ କରିବାକୁ ଯଦି ଦୁଃସାହସ କରେ ତେବେ ଏହାର ଫଳ ଭୋଗିବାକୁ ପ୍ରସ୍ତୁତ ରହିବ। ଇରାନ୍‌ ଜାଣି ରଖିବା ଦରକାର ଯୁକ୍ତରାଷ୍ଟ୍ର ଆମେରିକା ଇରାନ୍‌ର ୫୨ଟି ସ୍ଥାନ ଚିହ୍ନଟ କରିସାରିଛି ଏବଂ ଏଗୁଡ଼ିକ ଉପରେ ଭୟଙ୍କର ଆକ୍ରମଣ କରାଯିବ। ସେଗୁଡ଼ିକ ଉପରେ ଆକ୍ରମଣ ହେଲେ ଇରାନ୍‌ ଭୀଷଣ ଦୁର୍ଦ୍ଦଶା ଭୋଗିବ।

ସୂଚନାଯୋଗ୍ୟ ଯେ ୧୯୭୯ରେ ତେହରାନ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଇରାନ୍‌ ଆକ୍ରମଣ କରି ୫୨ ଜଣ ଆମେରିକୀୟଙ୍କୁ ବନ୍ଦୀ କରି ରଖିଥିଲା। ସେମାନଙ୍କୁ ପ୍ରାୟ ୧୫ ମାସ ଧରି ବନ୍ଦୀ କରି ରଖାଯାଇଥିବା ବେଳେ ସେମାନଙ୍କ ମୁକ୍ତି ପାଇଁ ଆମେରିକାକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ଏହି ୫୨ ସଂଖ୍ୟାକୁ ଆଜି ଟ୍ରମ୍ପ୍‌ ଉଲ୍ଲେଖ କରି ଇରାନ୍‌କୁ ଧମକ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକା ଆଉ ଧମକ ଣୁଣିବାକୁ ଚାହୁନାହିଁ। ଫ୍ଲୋରିଡାରେ ଛୁଟି କଟାଉଥିବା ଟ୍ରମ୍ପ୍‌ଙ୍କ ଏହି ଟ୍ବିଟ୍‌କୁ ନେଇ ଯୁଦ୍ଧ ଉତ୍ତେଜନା ଚରମରେ ପହଞ୍ଚିଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଆମେରିକା ଯୁଦ୍ଧ ଆଡ଼କୁ ମୁହାଁଉଛି ବୋଲି ‘ଡେମୋକ୍ରାଟ୍‌’ ସାଂସଦମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର