ଚୀନା ଇ-କମର୍ସ ୱେବ୍‌ସାଇଟ୍‌ରେ ବୁଦ୍ଧବେଶୀ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପ୍ରତିମାର ପ୍ରବଳ ଚାହିଦା

ନୂଆଦିଲ୍ଲୀ: ଗାଉନ୍‌ ପିନ୍ଧି ଆଖି ବନ୍ଦ କରି ଚେକା ପକାଇ ଧ୍ୟାନମୁଦ୍ରାରେ ବସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ପ୍ରତିମା ସମ୍ପ୍ରତି ଏକ ଚୀନା ଇ-କମର୍ସ ୱେବ୍‌ସାଇଟ୍‌ରେ ବେଶ୍‌ ଭଲ ବିକ୍ରୟ ହେଉଛି। ଟ୍ରମ୍ପ୍‌ଙ୍କର ଏହି ପ୍ରତିମା ଧ୍ୟାନମୁଦ୍ରାରେ ବସିଥିବା ଗୌତମବୁଦ୍ଧଙ୍କ ପ୍ରତିମା ସହ ମେଳ ଖାଉଛି।

ଚୀନା ଉଦ୍ୟୋଗୀଜଣକ ଏହି ପ୍ରତିମାର ନାଁ ଦେଇଛନ୍ତି, ‘ସମସ୍ତଙ୍କ ଅପେକ୍ଷା ବୌଦ୍ଧବାଦ ସହ ଅଧିକ ସୁପରିଚିତ ଟ୍ରମ୍ପ୍‌’। ଚୀନ୍‌କୁ ନାପସନ୍ଦ କରୁଥିବା ତଥା ଦୁଇଥର ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ହିଁ ବିଦ୍ରୂପ କରାଯାଇଛି ବୋଲି ପ୍ରତିମାର ଏହି ପରିଚୟୋକ୍ତିରୁ ସ୍ପଷ୍ଟ ଜଣାପଡୁଛି।। କୋଭିଡ୍‌-୧୯ ସଂକ୍ରମଣ ଲାଗି ଟ୍ରମ୍ପ୍‌ ବହୁ ଥର ଚୀନ୍‌କୁ ଦାୟୀ କରିଥିଲେ।

Image Courtesy of Famous News

ଟ୍ରମ୍ପ୍‌ଙ୍କ ପ୍ରତିମା ବିକ୍ରୟ କରୁଥିବା ଉକ୍ତ ଚୀନା ଇ-କମର୍ସ ପ୍ଲାଟ୍‌ଫର୍ମ ହେଉଛି ‘ଆଲିବାବା’ ମାଲିକାନାରେ ଥିବା ‘ଯାଓବାଓ’। ଏହି ଇ-କମର୍ସ ପ୍ଲାଟ୍‌ଫର୍ମରେ ମାତ୍ର ୧୫୦ ଡଲାର୍‌ରେ ଟ୍ରମ୍ପ୍‌ଙ୍କର ୧.୬ ମିଟର ଉଚ୍ଚ ପ୍ରତିମା ବିକ୍ରୟ କରୁଛି। ଏହାଠାରୁ ବଡ଼ ପ୍ରତିମାର ମୂଲ୍ୟ ରହିଛି ୬୧୦ ଡଲାର୍‌।

Image Courtesy of Mothership.SG

ଚୀନ୍‌ର ରାଷ୍ଟ୍ରାୟତ ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି ଯେ, ବିକ୍ରେତା ୧୦୦ଟି ପ୍ରତିମା ନିର୍ମାଣ କରିଥିଲେ। ସେଥିରୁ ଅନେକଗୁଡ଼ିଏ ବିକ୍ରି ହୋଇଗଲାଣି। ଅଧିକାଂଶ ଲୋକ ଏହି ପ୍ରତିମାକୁ ମଜାରେ କିଣୁଛନ୍ତି।

ଜଣେ ଅନାମିତ କ୍ରେତାଙ୍କ କଥାକୁ ଉଦ୍ଧାର କରି ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି, ଏଇଟାକୁ ମୁଁ ମଜାରେ କିଣିଛି। ଘରେ ଟେବୁଲ୍‌ ସଜାରେ ରଖିବି। ଟ୍ରମ୍ପ୍‌ଙ୍କୁ ଗୋଟାଏ ଯୁଗର ତଥା ଅତି ଗର୍ବବାଦର ପ୍ରତିନିଧି ଭାବେ ବିବେଚନା କରାଯାଇ ପାରିବ। ଏବେ ସେ ଯୁଗ ଚାଲିଯାଇଛି କିନ୍ତୁ, ଏହି ପ୍ରତିମା ମତେ ମନେପକାଇ ଦେବ: ‘ଅତି ଟ୍ରମ୍ପ୍‌ ହୁଅନାହିଁ’। (ପ୍ରକାରାନ୍ତରେ କହିଲେ, ଟ୍ରମ୍ପ୍‌ଙ୍କ ଭଳି ଏତେ ଗର୍ବ କର ନାହିଁ।)

ସମ୍ବନ୍ଧିତ ଖବର