ୱାସିଂଟନ: ସମସ୍ତ ‘ସ୍ବିଙ୍ଗ’ ରାଜ୍ୟରେ ବିଜୟଲାଭ କରି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍କୁ ଫେରିବାକୁ ଯାଉଛନ୍ତି। ଏହା ଆମେରିକା ଇତିହାସର ସବୁଠାରୁ ଅବିଶ୍ୱସନୀୟ ରାଜନୈତିକ ପ୍ରତ୍ୟାବର୍ତ୍ତନ ହେବ। ତାଙ୍କର ଏହି ବିଜୟ ଏବେ ଅନେକ ‘ଐତିହାସିକ ପ୍ରଥମ’ର ଅଧିକାରୀ ହୋଇଛି।
‘ଅଣ-କ୍ରମାଗତ’ ରାଷ୍ଟ୍ରପତି
ଗ୍ରୋଭର କ୍ଲିଭଲାଣ୍ଡଙ୍କ ପରେ ଟ୍ରମ୍ପ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି ଯିଏ ‘ଅଣ-କ୍ରମାଗତ’ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ, ଯାହା କି ଶେଷ ଥର ପାଇଁ ୧୩୨ ବର୍ଷ ପୂର୍ବେ ହୋଇଥିଲା। ଗ୍ରୋଭର କ୍ଲିଭଲାଣ୍ଡ ଆମେରିକାର ୨୨ତମ ଓ ୨୪ତମ ରାଷ୍ଟ୍ରପତି ଥିଲେ, ସେ ୧୮୮୫ରୁ ୧୮୮୯ ଏବଂ ୧୮୯୩ରୁ ୧୮୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୬ରୁ ୨୦୨୦ ମଧ୍ୟରେ ଥିଲା। ତେବେ ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କଠାରୁ ହାରିବା ପରେ ସେ ଲଗାତାର ଦ୍ବିତୀୟ ଥର ଜିତିବାରେ ବିଫଳ ହୋଇଥିଲେ।
ସବୁଠାରୁ ବୟସ୍କ ରାଷ୍ଟ୍ରପତି
୭୮ ବର୍ଷ ବୟସରେ ଟ୍ରମ୍ପ ଆମେରିକା ଇତିହାସର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହେବେ। ନଭେମ୍ବର ୨୦ରେ ୮୨ ବର୍ଷରେ ପଦାର୍ପଣ କରୁଥିବା ଜୋ ବାଇଡେନ୍ ହେଉଛନ୍ତି ବର୍ତ୍ତମାନ ସବୁଠାରୁ ବୟସ୍କ ରାଷ୍ଟ୍ରପତି। ଏହାବ୍ୟତୀତ ଟ୍ରମ୍ପ ୨୦ ବର୍ଷ ମଧ୍ୟରେ ପ୍ରଥମ ରିପବ୍ଲିକାନ୍ ଭାବେ ପପୁଲାର ଭୋଟ୍ ଜିତିଛନ୍ତି।
ଦୁଇ ଥର ମହାଭିଯୋଗର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରପତି
ଟ୍ରମ୍ପ ଆମେରିକା ଇତିହାସରେ ଏକମାତ୍ର ରାଷ୍ଟ୍ରପତି ହେବେ ଯିଏ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇଥର ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଉଭୟ ମାମଲାରେ ସିନେଟ୍ ତାଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରିଥିଲା। ୨୦୧୯ରେ ଟ୍ରମ୍ପ ପୁନର୍ବାର ନିର୍ବାଚିତ ହେବାର ସମ୍ଭାବନା ବଢ଼ାଇବା ପାଇଁ ଗୁପ୍ତରେ ୟୁକ୍ରେନ୍ଠାରୁ ସାହାଯ୍ୟ ଲୋଡ଼ିଥିବା ଅଭିଯୋଗକୁ ନେଇ ପ୍ରଥମ ମହାଭିଯୋଗ ହୋଇଥିଲା। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ତଦନ୍ତ କରିବାକୁ ଟ୍ରମ୍ପ୍ ତାଙ୍କ ୟୁକ୍ରେନ୍ ପ୍ରତିପକ୍ଷ ଜେଲେନସ୍କିଙ୍କୁ ଅନୁରୋଧ କରିଥିବା ଅଭିଯୋଗ ହୋଇଥିଲା। ରୁଷ୍ ସହ ଯୁଦ୍ଧରେ ଲିପ୍ତ ଥିବା ୟୁକ୍ରେନ୍କୁ ଟ୍ରମ୍ପ ୪୦୦ ନିୟୁତ ଡଲାରର ସାମରିକ ସହାୟତା ବନ୍ଦ କରିଦେଇଥିବା ରିପୋର୍ଟ ମିଳିଥିଲା। ଆମେରିକା ସଂସଦ ଉପରେ ଜାନୁଆରି ୬ରେ ହୋଇଥିବା ଆକ୍ରମଣକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର ଏକ ସପ୍ତାହ ପୂର୍ବରୁ ୨୦୨୧ ଜାନୁଆରି ୧୩ରେ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ଅଣାଯାଇଥିଲା।
ପ୍ରଥମ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ଭାବେ ପଦବିରେ ରହିବେ
ଚଳିତ ବର୍ଷ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଟ୍ରମ୍ପ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଆଇନଗତ ଅଭିଯୋଗର ସମ୍ମୁଖୀନ ହୋଇ ମଧ୍ୟ ପଦରେ ରହିବେ। ମେ ମାସରେ ନ୍ୟୁୟର୍କରେ ଟ୍ରମ୍ପ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇନାହିଁ ଏବଂ ନଭେମ୍ବର ୨୬ରେ ଏହାର ଶୁଣାଣି ହେବ। ଟ୍ରମ୍ପଙ୍କ ବିରୋଧରେ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ସହ ଜଡିତ ବ୍ୟବସାୟିକ ରେକର୍ଡ ମିଥ୍ୟା ବୋଲି ଅଭିଯୋଗ ହୋଇଛି। ତେବେ ଟ୍ରମ୍ପ ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ନିଜକୁ ନିର୍ଦୋଷ ବୋଲି କହିଛନ୍ତି।