ମନ୍ଦିର ପରେ ଏମାନଙ୍କୁ ମିଳିଛି ସବୁଠାରୁ ଅଧିକ ଦାନ? ଆଶ୍ଚର୍ଯ୍ୟ କରିଦେବ ଭାରତୀୟଙ୍କ ଏହି ତଥ୍ୟ

ନୂଆଦିଲ୍ଲୀ: ଭାରତୀୟମାନେ ୨୦୨୧-୨୨ ବର୍ଷରେ ପ୍ରାୟ ୨୩,୭୦୦ କୋଟି ଟଙ୍କା ଦାନ କରିଥିଲେ, ଯେଉଁଥିରୁ ଧାର୍ମିକ ସଂଗଠନଗୁଡ଼ିକ ସର୍ବାଧିକ ଦାନ ପାଇଥିଲେ। ଅଶୋକା ବିଶ୍ୱବିଦ୍ୟାଳୟ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି। ଏହି ରିସର୍ଚ୍ଚ ପାଇଁ ଦେଶର ୧୮ଟି ରାଜ୍ୟରୁ ମୋଟ ୮୧ହଜାର ପରିବାରଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଶୋକା ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଫର ସୋସିଆଲ୍ ଇମ୍ପାକ୍ଟ ପକ୍ଷରୁ ‘ହାଓ ଇଣ୍ଡିଆ ଗିଭସ’ ବା ‘ଭାରତ କିପରି ଦିଏ, ୨୦୨୧-୨୨’ ଶୀର୍ଷକ ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ପରିବାର ନଗଦ ଆକାରରେ ଅଧିକାଂଶ ଦାନ କରିଥିଲେ। ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଧାର୍ମିକ ବିଶ୍ୱାସ ମୁଖ୍ୟତଃ ଭାରତୀୟମାନଙ୍କୁ ଦାନ କରିବାକୁ ପ୍ରେରଣା ଯୋଗାଇଥାଏ |

ତଥ୍ୟରେ ଦର୍ଶାଯାଇଛି ଯେ ଦକ୍ଷିଣ ଭାରତର ଲୋକମାନେ ସର୍ବାଧିକ ପରିମାଣ ଦାନ କରିଥିବାବେଳେ ଏହା ପଛକୁ ପଶ୍ଚିମ ଭାରତର ଲୋକ ଅଛନ୍ତି | ଅଧ୍ୟୟନରୁ ଜଣାପଡିଛି ଯେ ୬୪% ପରିବାର ଧାର୍ମିକ ସଂଗଠନକୁ ଦାନ ଦେଇଥିବାବେଳେ ଏବଂ ୬୧% ପରିବାର ଭିକାରୀଙ୍କୁ ଦାନ କରିଛନ୍ତି। ଅଧ୍ୟୟନ ଅନୁଯାୟୀ, ଧାର୍ମିକ ସଂଗଠନଗୁଡିକୁ ପ୍ରାୟ ୧୬,୬୦୦ କୋଟି ଟଙ୍କା ଦାନ କରାଯାଇଥିବା ଅନୁମାନ କରାଯାଉଛି, ଯାହା ମୋଟ ଦାନର ପ୍ରାୟ ୭୦ ପ୍ରତିଶତ । ରିପୋର୍ଟ ଅନୁଯାୟୀ, ମୋଟ ଦାନର ୧୨ ପ୍ରତିଶତ (ପ୍ରାୟ ୨,୯୦୦ କୋଟି) ଭିକାରୀଙ୍କ ନିକଟକୁ ଯାଇଥିବାବେଳେ ନଅ ପ୍ରତିଶତ (୨୦୦୦ କୋଟି ଟଙ୍କା) ପରିବାର ଏବଂ ବନ୍ଧୁମାନଙ୍କୁ ଦାନ କରାଯାଇଛି।

ଅଣ-ଧାର୍ମିକ ସଂଗଠନଗୁଡିକ ମୋଟ ଦାନର ପାଞ୍ଚ ପ୍ରତିଶତ (ପ୍ରାୟ ୧୧୦୦ କୋଟି ଟଙ୍କା) ପାଇଥିବାବେଳେ ଘରୋଇ ସହାୟକମାନେ ମୋଟ ଦାନର ଚାରି ପ୍ରତିଶତ (ପ୍ରାୟ ଏକ ହଜାର କୋଟି ଟଙ୍କା) ପାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୧୦୦୦ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପରିମାଣ ମୁଖ୍ୟତଃ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ଦିଆଯାଇଥିବାବେଳେ ୧୦୦ ଟଙ୍କା ଭିତରେ ନଗଦ ଦାନ ମୁଖ୍ୟତଃ ଭିକାରୀମାନଙ୍କୁ ଦିଆଯାଇଥିବାବେଳେ ସାମାନ୍ୟ ଅଧିକ ପରିମାଣ (୧୦୧ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ) ଧାର୍ମିକ ସଂଗଠନ ତଥା ଅଣ-ଧାର୍ମିକ ସଂଗଠନକୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର