ଗଧ ମେଳାରେ ୧୦ ଲକ୍ଷ ଟଙ୍କାରେ ଶାହରୁଖ ଓ ୭ ଲକ୍ଷ ଟଙ୍କାରେ ସଲମାନକୁ କିଣିନେଲେ କ୍ରେତା

ଚିତ୍ରକୂଟ: ‘ପାଠ ପଢୁନାହୁଁ, ଗଧଟିଏ ହେବୁ’ କଥା ଛଳରେ ପିଲାଙ୍କୁ ଏଭଳି ଆକଟ କରାଯାଉଥିବାର ଆପଣ ଶୁଣିଥିବେ | ସାଧାରଣତଃ ମୂର୍ଖର ଏକ ସାଙ୍କେତିକ ଭାବରେ ଗଧକୁ ଉପସ୍ଥାପନ କରାଯାଏ | କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଗଧଙ୍କୁ ନେଇ ବି ମେଳା ହୁଏ | ଦେଶର ରାଜ୍ୟମାନଙ୍କରୁ ଗଧ କିଣିବାକୁ ବ୍ୟବସାୟୀ ଆସନ୍ତି ଆଉ ମୂଲଚାଲ ପରେ ଗଧ କିଣନ୍ତି | ଉତ୍ତରପ୍ରଦେଶର ଧାର୍ମିକ ସହର ଚିତ୍ରକୂଟରେ, ମନ୍ଦାକିନୀ ନଦୀ କୂଳରେ ପ୍ରାୟ ଶହେ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଗୋରୁ ମେଳା ବହୁତ ଲୋକପ୍ରିୟ | ତେବେ ଏଥର ଏଠାରେ ସର୍ବାଧିକ ଚର୍ଚ୍ଚା ଗଧଙ୍କ ଉପରେ ମୂଲଚାଲକୁ ନେଇ ଥିଲା | ଏକ ଆକଳନ ଅନୁଯାୟୀ, ଏଥର ପାଞ୍ଚ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି। ଚିତ୍ରକୂଟରେ ଦୀପାବଳି ଦିନ ଆୟୋଜିତ ଗଧ ମେଳାରେ ପାଞ୍ଚ ଦିନ ଧରି ଗୋରୁ ବ୍ୟବସାୟୀ ଏବଂ କ୍ରେତାଙ୍କ ଭିଡ ଜମିଥିଲା ।

ବିଭିନ୍ନ ପ୍ରଜାତିର ଗଧ କିଣିବା ପାଇଁ ଅନେକ ରାଜ୍ୟରୁ ହଜାର ହଜାର ଲୋକ ଏହି ଗଧ ମେଳାରେ ଏକତ୍ରିତ ହୋଇଥିଲେ | ଏଥର ପ୍ରାୟ ପନ୍ଦର ହଜାର ଗଧଙ୍କୁ ମେଳାକୁ ଅଣାଯାଇଥିଲା | ଏହି ଗଧମାନଙ୍କର ମୂଲ୍ୟ ଦଶ ହଜାରରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା | ଗଧମାନଙ୍କୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ଡକାଯାଇଥିଲା । ଗଧମାନଙ୍କର ଉଚ୍ଚତା ଅନୁଯାୟୀ, ସେମାନଙ୍କର ବିଡ୍ ପାଞ୍ଚ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଚାଲିଥିଲା | ତେବେ ଏଥର ଶାହରୁଖ ନାମକ ଏକ ଗଧକୁ ଜଣେ ବ୍ୟକ୍ତି ଦଶ ଲକ୍ଷ ଟଙ୍କାରେ କିଣିଥିଲେ | ସେହିପରି ସଲମାନ ନାମକ ଗଧକୁ ସାତ ଲକ୍ଷ ଟଙ୍କା, ହ୍ରିତିକ ରୋଶନ ଏବଂ ରଣବୀର ସିଂ ନାମକ ଗଧକୁ ପାଞ୍ଚ ଲକ୍ଷ ଟଙ୍କାରେ କିଣାଯାଇଥିଲା। ସେହିପରି ‘ଦୀପିକା’ ନାମକ ଏକ ଗଧକୁ ଏକ ଲକ୍ଷ ପଚିଶ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା |

ଏକ ଆକଳନ ଅନୁଯାୟୀ, ଏଥର ପାଞ୍ଚ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି। ସୂଚନା ଥାଉ କି ଚିତ୍ରକୂଟରେ ଗଧ ମେଳାର ପରମ୍ପରା ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମେଳାରୁ ସେ ଗଧ ଓ ଖଚରମାନଙ୍କୁ କିଣି ମୋଗଲ ସେନାରେ ସାମିଲ କରିଥିଲେ।

ସମ୍ବନ୍ଧିତ ଖବର