ଗଧ ସହ ପାଳିଥିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ, ଗଧ ଚୋରି ଅଭିଯୋଗରେ କଂଗ୍ରେସ ନେତାଙ୍କୁ ଉଠାଇନେଲା ପୁଲିସ

ହାଇଦ୍ରାବାଦ: ଏକ ଗଧ ଚୋରି ଅଭିଯୋଗରେ ଗିରଫ ହେଲେ ହାଇଦ୍ରାବାଦର କଂଗ୍ରେସ ନେତା | ତେବେ ଏହି ଗିରଫଦାରୀକୁ ନେଇ ତେଲେଙ୍ଗାନା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଛାତ୍ର କଂଗ୍ରେସ(ଏନଏସୟୁଆଇ) ମୁଖ୍ୟ ଭେଙ୍କଟ ବାଲାମୁରଙ୍କୁ ଗିରଫ କରାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନରେ ବାଲାମୁର ଏକ ଗଧ ସହିତ ଜନ୍ମଦିନ ପାଳନ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି | ତେବେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଯେଉଁ ଗଧ ସହିତ ସେ ଜନ୍ମଦିନ ପାଳନ କରିଥିଲେ, ତାହାକୁ ସେ ଚୋରି କରି ଆଣିଥିଲେ |

ତେବେ ବାଲାମୁର ଗଧକୁ ଭଡାରେ ଆଣିଥିବାର କହିଥିଲେ | ସୂଚନା ଥାଉ କି ଭେଙ୍କଟ ବାଲାମୁର ଦଳ କାର୍ଯ୍ୟକର୍ତ୍ତାଙ୍କ ସହ ଟିଆରଏସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନକୁ ଫେବୃଆରୀ ୧୭ରେ ପାଳନ କରିଥିଲେ | ଏକ ଗଧ ସମ୍ମୁଖରେ ସେ କେକ କାଟିବା ସହ ଗଧ ମୁଣ୍ଡରେ ପୋଷ୍ଟର ମାରି ଜନ୍ମଦିନ ପାଳନ କରିଥିଲେ। ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଉପରେ କେସିଆରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଂଗ୍ରେସ ନେତା ଏହାକୁ ଏକ ଉପାୟ ବୋଲି କହିଥିଲେ । ଏହା ପରେ ଟିଆରଏସ ନେତାମାନେ ତାଙ୍କ ନାମରେ ଅଭିଯୋଗ କରିଥିଲେ |

ଏହା ପରେ ପୁଲିସ ଗୁରୁବାର ରାତିରେ ହୁଜୁରାବାଦ ସହରରୁ ବାଲାମୁରଙ୍କୁ ଗିରଫ କରିଥିଲା। ବାଲାମୁର ହୁଜୁରାବାଦରୁ ୨୦୨୧ ଉପ-ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ପୁଲିସ କହିଥିଲା ଯେ ଏହି ଗଧକୁ ସେ ଚୋରି କରି ଆଣିଥିଲେ | ତେଣୁ ତାଙ୍କ ନାମରେ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ, ଆଇଟି ଆକ୍ଟ ଅଧୀନରେ ଗିରଫ କରି ଶୁକ୍ରବାର ଦିନ ହୁଜୁରାବାଦ କୋର୍ଟରେ ହାଜର କରିଥିଲା। ଆଉ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର