ନୂଆଦିଲ୍ଲୀ: କୋଭିଡ୍-୧୯ ଭୂତାଣୁଙ୍କ ଓମିକ୍ରନ୍ ଭାରିଆଣ୍ଟର ଏକ ନୂଆ ପିଢ଼ି ଅଷ୍ଟ୍ରେଲିଆରେ ଆବିଷ୍କୃତ ହୋଇଛି ବୋଲି କୁହାଯାଉଛି। ଏହାକୁ ନେଇ ଅନେକେ ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ଏଥିରେ ଭୟ କରିବାର କୌଣସି କାରଣ ନାହିଁ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ବରିଷ୍ଠ ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି।
ଡେଲ୍ଟାଠାରୁ ଅଧିକ ସଂକ୍ରମଣଶୀଳ ହୋଇଥିବା ଓମିକ୍ରନ୍ ବିଷୟରେ ଅଧିକ ଜାଣିବା ପାଇଁ ବୈଜ୍ଞାନିକମାନେ ସାରା ବିଶ୍ବରେ ଏହା ଉପରେ ଖୋଳତାଡ଼ (ଡିକୋଡିଂ) କରିବାରେ ବ୍ୟସ୍ତ ଥିବା ବେଳେ ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡରେ ଅନେକ ନମୁନାରେ ଓମିକ୍ରନ୍ ଭାରିଆଣ୍ଟର ଏକ ନୂଆ ପିଢ଼ି ଆବିଷ୍କୃତ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ଯାତ୍ରୀଙ୍କଠାରେ ଏହି ନୂଆ ପିଢ଼ି ଠାବ କରାଯାଇଛି। ମୂଳ ଓମିକ୍ରନ୍ ଭାରିଆଣ୍ଟର ପ୍ରାୟ ଅଧା ଜିନ୍ ଏଥିରେ ବଦଳିଯାଇଛି।
ଓମିକ୍ରନ୍ର ଏହି ଦୁଇଟି ପିଢ଼ିକୁ ବର୍ତ୍ତମାନ ବିଏ.୧ ଓ ବିଏ.୨ ଭାବେ ନାମିତ କରାଯାଇଛି। ଓମିକ୍ରନ୍ର ମୂଳ ପିଢ଼ିକୁ ବିଏ.୧ କୁହାଯାଉଛି। ଉଭୟ ଭାରିଆଣ୍ଟ ପାଇଁ କେତେକ ମ୍ୟୁଟେସନ ହେଉଛି ସାଧାରଣ। ଦୁଇ ପିଢ଼ି ଭିତରେ ଥିବା ମ୍ୟୁଟେସନକୁ ଭିତ୍ତି କରି କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ, ନୂଆ ପିଢ଼ିକୁ ଚିହ୍ନଟ କରିବା ଭାରି କଷ୍ଟକର। ତେବେ ତା’ର ମାନେ ନୁହେଁ ଯେ, ଏହି ଭାରିଆଣ୍ଟର ବିଏ.୨ ପିଢ଼ି ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିର ପଜିଟିଭ୍ ରିପୋର୍ଟ ଆସିବ ନାହିଁ। ଯେକୌଣସି ପିଢ଼ି ଦ୍ବାରା ସଂକ୍ରମିତ ହେଲେ ମଧ୍ୟ ଆର୍ଟି-ପିସିଆର୍ ଟେଷ୍ଟ ପଜିଟିଭ୍ ଆସିବ।
ବରିଷ୍ଠ ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି, ଏହି ପିଢ଼ିକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ତେବେ ଏ ନୂଆ ପିଢ଼ି ଏକ ନୂଆ ଭାରିଆଣ୍ଟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ରୋଗ ବ୍ୟାପିବାରେ ଏହାର କିଛି ପ୍ରଭାବ ନାହିଁ। ଡେଲ୍ଟା ଭାରିଆଣ୍ଟର ବି ଡେଲ୍ଟା ପ୍ଲସ୍ ସମେତ ଅନେକ ପିଢ଼ି ଅଛି, ଯାହା ଡେଲ୍ଟାଠାରୁ ଅଧିକ ସଂକ୍ରମଣଶୀଳ ନୁହେଁ।