ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଇଭିଏମ୍ ବଦଳରେ ବ୍ୟାଲଟ୍ ପେପରରେ କରାଯିବାକୁ ଦାବି କରି ୧୭ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଆସନ୍ତା ସପ୍ତାହରେ ଏହି ଦଳଗୁଡ଼ିକ ନିର୍ବାଚନ କମିସନଙ୍କୁ ଭେଟି ଦାବି ଉପସ୍ଥାପନ କରିବେ। ନିର୍ବାଚନ କମିସନ ଇଭିଏମ୍ ବ୍ୟବସ୍ଥା ପ୍ରତ୍ୟାହାର ନକଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କେତେକ ଦଳ ଚେତାବନୀ ଦେଇଛନ୍ତି। ବ୍ୟାଲଟ୍ ପେପରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବାକୁ ନିର୍ବାଚନ କମିସନଙ୍କ ଉପରେ ଚାପ ସୃଷ୍ଟି କରାଯିବ ଏବଂ ଭାରତୀୟ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହା ଜରୁରୀ ବୋଲି ଟିଏମ୍୍ସି ନେତା ଡେରେକ୍ ଓବ୍ରେନ୍ କହିଛନ୍ତି। ଏ ନେଇ ବିରୋଧୀ ଦଳଗୁଡ଼ିକର ନେତୃତ୍ୱ ଟିଏମ୍୍ସି ନେବ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ନେତାମାନଙ୍କ ସହିତ ଏ ବାବଦରେ ଟିଏମ୍୍ସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିସାରିଛନ୍ତି। ନିକଟରେ ସମାଜବାଦୀ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ବ୍ୟାଲଟ ପେପରରେ ନିର୍ବାଚନ କରାଯିବାକୁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଦଳର ବରିଷ୍ଠ ନେତା ରାମଗୋପାଳ ଯାଦବ କହିଥିଲେ ଯେ ନିର୍ବାଚନ କମିସନ ଏ ଦିଗରେ ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ। କମିସନ ଏ ବାବଦରେ ପଦକ୍ଷେପ ନନେଲେ ଦଳ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ମଧ୍ୟ ସେ କହିଥଲେ। ଏବେ ଏହି ଦାବି ନେଇ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆମ୍ ଆଦ୍୍ମି ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଓ୍ଵାଇଏସ୍୍ଆର କଂଗ୍ରେସ ହାତ ମିଳାଇଛନ୍ତି। ଏହା ବ୍ୟତୀତ ଜେଡିଏସ୍, ଡିଏମ୍୍କେ, ଟିଡିପି, ଶିବସେନା ଏବଂ ବାମଦଳମାନେ ମଧ୍ୟ ବ୍ୟାଲଟ୍ ପେପରରେ ନିର୍ବାଚନ କରାଇବାକୁ ପୂର୍ବରୁ ଦାବି କରିଛନ୍ତି।
ଇଭିଏମ୍ ପ୍ରତ୍ୟାହାର ପାଇଁ ୧୭ ଦଳ ଏକଜୁଟ୍
/sambad/media/post_attachments/wp-content/uploads/2018/08/1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)