ପ୍ରଦର୍ଶନକୁ କେହି ରୋକିପାରିବେନି

‘ପଦ୍ମାବତ୍‌’ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’କୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ତେବେ କିଛି ରାଜ୍ୟରେ ଏହାର ରିଲିଜ୍‌ ବନ୍ଦ ଘୋଷଣା ବିରୋଧରେ ଦାଏର ମାମଲାର ଆଜି ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ‘ପଦ୍ମାବତ୍‌’ ଉପରେ ରୋକ୍‌ ଲଗାଇବା ପାଇଁ କିମ୍ବା ଫିଲ୍ମଟିର ଶୁଭମୁକ୍ତି ବନ୍ଦ କରିବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ। ତେଣୁ ପୂର୍ବରୁ ଫିଲ୍ମ ବନ୍ଦ କରିବାକୁ ଘୋଷଣା କରିଥିବା ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣା ସରକାର ଏଥିରୁ ନିବୃତ୍ତ ରହିବେ। ଏଥି ସହିତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୨୫ ତାରିଖରେ ଏହି ଫିଲ୍ମ ସାରା ଭାରତରେ ଖେଳିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୫ ତାରିଖରେ ଫିଲ୍ମଟି ରିଲିଜ୍‌ ହେବା ପାଇଁ  ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ହରିୟାଣା ସରକାର ସେମାନଙ୍କ ରାଜ୍ୟରେ ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବନି ବୋଲି ଘୋଷଣା କରିଥିଲେ। ଫଳରେ ସଂପୃକ୍ତ ରାଜ୍ୟମାନଙ୍କ ଆଭିମୁଖ୍ୟକୁ ଚ୍ୟାଲେଞ୍ଜ୍‌ କରି ଗତକାଲି ଚଳଚ୍ଚିତ୍ର ନିର୍ମାତାମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେଉଁ ଅଧିକାରରେ ଉକ୍ତ ୪ଟି ରାଜ୍ୟ ଫିଲ୍ମ ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ଏବଂ ରାଜ୍ୟରେ ଫିଲ୍ମ ରିଲିଜ୍‌କୁ ବନ୍ଦ କରିଛନ୍ତି ବୋଲି ଆବେଦନକାରୀମାନେ ପ୍ରଶ୍ନ କରିଥିଲେ।  ଆଜି ସେମାନଙ୍କ  ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ୍‌ ଖାନଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ସେହି ସବୁ ରାଜ୍ୟର ପୂର୍ବ ଘୋଷଣାରେ ରହିତାଦେଶ ଲଗାଇଛନ୍ତି। ଫିଲ୍ମଟିକୁ ୟୁଏ ସାର୍ଟିଫିକେଟ୍‌ ପ୍ରଦାନ କରିବା ପରେ କୌଣସି ରାଜ୍ୟର ଫିଲ୍ମ ବନ୍ଦ କରିବାର ଅଧିକାର ନାହିଁ ବୋଲି ମାନ୍ୟବର ଖଣ୍ଡପୀଠ କହିଛନ୍ତି। ଏଥି ସହ ଫିଲ୍ମ ରିଲିଜ୍‌ ସମୟରେ ରାଜ୍ୟ ସରକାର ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ଏହାବାଦ୍‌ କୋର୍ଟଙ୍କ ନିର୍ଦ୍ଦେଶ ଠିକ୍‌ରେ କାର୍ଯ୍ୟକାରୀ କରିବା ପାଇଁ ଖଣ୍ଡପୀଠ ରାଜ୍ୟଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୬ରେ ହେବ ବୋଲି କୋର୍ଟ କହିଛନ୍ତି।

ଆଜିର ଶୁଣାଣି ସମୟରେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ  ହରିଶ ସାଲ୍‌ଭେ ମତ ଉପସ୍ଥାପନ କରିଥିଲେ। ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣା ସରକାରଙ୍କୁ ପ୍ରତିନିଧିତ୍ୱ କରିଥିବା ଆଡିସିନାଲ୍‌ ସଲିସିଟର ଜେନେରାଲ ତୁଷାର ମେହେଟା କେବଳ ଗୁଜରାଟ ଏବଂ ରାଜସ୍ଥାନ ସରକାର ଫିଲ୍ମ ବନ୍ଦ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି ଖଣ୍ଡପୀଠଙ୍କୁ କହିଥିଲେ।

ଯେଉଁ ହଲ୍‌ରେ ଖେଳିବ, ଜାଳିଦିଆଯିବ ରାଜପୁତ୍‌ ସମ୍ପ୍ରଦାୟର ଧମକ

ଶେଷ ପଦକ୍ଷେପ ମହିଳାଙ୍କ ଗଣଆତ୍ମହତ୍ୟା : ଜୌହର କ୍ଷତି୍ରୟ ମଞ୍ଚ

ନୂଆଦିଲ୍ଲୀ: ‘ପଦ୍ମାବତ୍‌’ ସାରା ଭାରତବର୍ଷରେ ରିଲିଜ୍‌ ହେବା ନେଇ ସୁପ୍ରିମକୋର୍ଟ ପଥ ପରିଷ୍କାର କରିଦେଇଥିଲେ ମଧ୍ୟ ଏବେ ବି ପରିସ୍ଥିତି ପୂର୍ବବତ୍‌ ରହିଛି। ଫିଲ୍ମ ରିଲିଜ୍‌ ହେଲେ ଫଳାଫଳ ଅତି ଭୟଙ୍କର ରୂପ ନେବ ବୋଲି ଆଜି ରାଜପୁତ୍‌ ସମ୍ପ୍ରଦାୟ କହିଛନ୍ତି। ଫିଲ୍ମ ସମ୍ପୂର୍ଣ୍ଣ ବନ୍ଦ ହେବା ଦାବି କରି ରାଣୀ ପଦ୍ମାବତୀଙ୍କ ସମ୍ମାନ ସହ କେହି ଖେଳିବାର ଧୃଷ୍ଟତାକୁ ବରଦାସ୍ତ କରାଯିବନି ବୋଲି ଆଜି ଛତିଶଗଡ଼ ରାଜପୁତ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି। ଫିଲ୍ମଟି ଯେଉଁ ସବୁ ପ୍ରେକ୍ଷାଳୟରେ  ରିଲିଜ୍‌ ହେବ, ସେଠାରେ ନିଅାଁ ଲାଗିବ ବୋଲି ଧମକ ଦିଆଯାଇଛି।  ସେହିପରି ଉଜ୍ଜୟିନୀରେ ରାଜପୁତ କର୍ଣ୍ଣି ସେନା ମୁଖ୍ୟ ଲୋକେନ୍ଦ୍ର ସିଂହ କାଲ୍‌ବି ଫିଲ୍ମଟିକୁ ବିରୋଧ କରିବା ଉଦ୍ଦେଶ୍ୟରେ ପ୍ରତି ସିନେମା ହଲ୍‌ ଆଗରେ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି କରିବା ଲାଗି  ସମସ୍ତ ସାମାଜିକ ସଂଗଠନକୁ ଆହ୍ଵାନ କରିଛନ୍ତି। କିଛି ଦିନ ତଳେ ଏହି ଫିଲ୍ମକୁ ଖେଳାଇବା ସିନେମା ହଲ୍‌କୁ ଜାଳିଦିଆଯିବ ବୋଲି  ଧମକ ଏବଂ ବଂଶାଲିଙ୍କ ମୁଣ୍ଡ ପାଇଁ ୧୦ କୋଟି ଘୋଷଣା କରିଥିବା ହରିଆନାର ରାଜନେତା ସୁରଜ ପାଲ୍‌ ଅମୁ ସୁପ୍ରିମକୋର୍ଟଙ୍କ ଏହି ରାୟ ରାଜପୁତମାନଙ୍କ ଭାବନାକୁ କଠୋର ଆଘାତ ଦେଇଛି ବୋଲି କହିବା ସହ ଫାଶୀ ପାଇବେ ପଛେ ଏଭଳି ବିରୋଧ ଜାରି ରଖିବାକୁ କହିଛନ୍ତି।  ଅପରପକ୍ଷେ, ‘ପଦ୍ମାବତ୍‌’ ରିଲିଜ୍‌ ହେଲେ ଗଣଆତ୍ମହତ୍ୟା ବା ଜୌହର କରିବେ ବୋଲି ଜୌହର କ୍ଷତ୍ରିୟ ମଞ୍ଚର ମହିଳାମାନେ ଧମକ ଦେଇଛନ୍ତି। ଐତିହ୍ୟକୁ ସୁରକ୍ଷା ଦେବା ସହ ରାଣୀ ପଦ୍ମିନୀଙ୍କ ସମ୍ମାନ ରକ୍ଷା ଲାଗି ଏହା ସେମାନଙ୍କ ଶେଷ ପଦକ୍ଷେପ ହେବ ବୋଲି ଏହି କମିଟିର ଜଣେ ସଦସ୍ୟ କହିଛନ୍ତି। ସେଥିପାଇଁ ସେମାନେ ମୃତ୍ୟୁକୁ ବି ଖାତିର କରନ୍ତିନାହିଁ ବୋଲି ଜୌହର କ୍ଷତି୍ରୟ ମଞ୍ଚର ମୁଖ୍ୟ କହିଛନ୍ତି।

ବିହାର ସିନେମା ହଲ୍‌ରେ ଭଙ୍ଗାରୁଜା 

ନୂଆଦିଲ୍ଲୀ: ସାରା ଭାରତ ବର୍ଷରେ ‘ପଦ୍ମାବତ୍‌’ ରିଲିଜ୍‌ ହେବା ନେଇ ସୁପ୍ରିମକୋର୍ଟ କ୍ଲିନ୍‌ ଚିଟ୍‌ ଦେବାପରେ ଏହାର ପ୍ରଥମ ବିଦ୍ରୋହ ଦେଖିବାକୁ ମିଳିଛି ବିହାରରେ। ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଶ୍ରୀ ରାଜପୁତ କର୍ଣ୍ଣି ସେନା ଆଜି ବିହାରର ମୁଜାଫରପୁର ସ୍ଥିତ ଏକ ସିନେମା ହଲ୍‌ରେ ଭଙ୍ଗାରୁଜା କରିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ କର୍ଣ୍ଣି ସେନା ପୁନର୍ବାର ଆବେଦନ କରିବେ ବୋଲି କହିଛନ୍ତି। ଫିଲ୍ମ ବନ୍ଦ କରିବା ପାଇଁ ସେମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ ବୋଲି ସେନା ସଭାପତି ସୁଖଦେବ ସିଂହ ଗୋଗାମେଡ଼ି ଭିଡିଓ ମେସେଜ୍‌ରେ କହିଛନ୍ତି। ସେହିପରି ରାଜପୁତ କର୍ଣ୍ଣି ସେନା ମଧ୍ୟ ଖୁବ୍‌ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବେ ଏବଂ ଜନତା କର୍ଫ୍ୟୁ ହେବ ବୋଲି ସଂଗଠନର ମୁଖ୍ୟ କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ସରକାର ସୁପ୍ରିକୋର୍ଟଙ୍କ ରାୟକୁ ଅନୁଧ୍ୟାନକ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର