ରାଜୀବ ହତ୍ୟାକାରୀଙ୍କୁ ମୁକ୍ତି : ସୋନିଆଙ୍କ ସହ ଏକମତ ନୁହେଁ କଂଗ୍ରେସ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡର ଅନ୍ୟତମ ଦୋଷୀ ନଳିନୀ ଶ୍ରୀହରନଙ୍କ ମୁକ୍ତି ପ୍ରସଙ୍ଗରେ ସୋନିଆଙ୍କ ସହ ଏକମତ ନୁହେଁ ତାଙ୍କ ଦଳ କଂଗ୍ରେସ ।

ନଳିନୀଙ୍କ ମୁକ୍ତି ପାଇଁ ସୋନିଆ ଅନୁରୋଧ କରିଥିବାବେଳେ ତାଙ୍କ ଦଳ କଂଗ୍ରେସ ଭିନ୍ନ ମତ ପ୍ରକାଶ କରିଛି । କଂଗ୍ରେସ ମୁଖପାତ୍ର ଅଭିଶେଖ ମନୁସିଂଘଭି କହିଛନ୍ତି ଯେ, ରାଜୀବ ହତ୍ୟା ଦୋଷୀଙ୍କ ମୁକ୍ତିକୁ ସମର୍ଥନ କରିବା ସୋନିଆଙ୍କ ନିଜସ୍ବ ମତ ହୋଇପାରେ କିନ୍ତୁ ଦଳର ମତ ଅଲଗା । କାରଣ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଏକ ସାଧାରଣ ହତ୍ୟା ନୁହେଁ । ଏହା ସହିତ ଦେଶର ଅଖଣ୍ଡତା ଓ ନିରାପତ୍ତା ଜଡ଼ିତ ରହିଛି । ଏଣୁ କଂଗ୍ରେସର ମତ କେନ୍ଦ୍ର ସରକାରଙ୍କ ମତ ସହିତ ସମାନ ରହିଛି ।

ସୁପ୍ରିମକୋର୍ଟ ଶୁକ୍ରବାରଦିନ ରାଜୀବ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ, ଆରପି ରବିଚନ୍ଦ୍ରନ ଓ ଅନ୍ୟ ୪ ଜଣଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୧୯୯୧ ମସିହା ମେ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମବୁଦୁରଠାରେ ଆତ୍ମଘାତି ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରଠାରୁ ପ୍ରାୟ ୩୧ ବର୍ଷ ଧରି ନଳିନୀ ଓ ରହିଚନ୍ଦ୍ରନ ଜେଲରେ ଥିଲେ । ସେନିଆଙ୍କ କ୍ଷମା ପରେ ୨୦୦୦ରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥିଲା ।

 

 

ସମ୍ବନ୍ଧିତ ଖବର