ମୋଦି ସରକାର ଆସିବାକୁ ଦେବୁନାହିଁ

ଭବିଷ୍ୟତରେ ଗାନ୍ଧୀ ପରିବାର ବାହାରର ବ୍ୟକ୍ତି କଂଗ୍ରେସର ନେତୃତ୍ୱ ନେବେ

ମୁମ୍ବାଇ : ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଏନ୍‌୍‌ଡିଏ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁମ୍ବାଇରେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌୍‌’ରେ ଅଂଶଗ୍ରହଣ କରି ସୋନିଆ କହିଛନ୍ତି ଯେ ୨୦୦୪ ସାଧାରଣ ନିର୍ବାଚନରେ ସାଇନିଂ ଇଣ୍ଡିଆ ସ୍ଲୋଗାନ ପାଇଁ ବାଜପେୟୀ ସରକାରଙ୍କ ଅବସ୍ଥା ଯେଭଳି ହୋଇଥିଲା ଏବେ ‘ଅଚ୍ଛେଦିନ’ ସ୍ଲୋଗାନ ପାଇଁ ମୋଦି ସରକାର ମଧ୍ୟ ସମାନ ଅବସ୍ଥା ଭୋଗିବ। ୨୦୧୯ ନିର୍ବାଚନରେ ଏନ୍‌ଡିଏର ପରାଜୟ ସୁନିଶ୍ଚିତ ଏବଂ ୟୁପିଏ ପୁଣି ଦେଶର ଶାସନକୁ ଫେରିବ ବୋଲି ସୋନିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଳାଧନ ପ୍ରସଙ୍ଗରେ ସୋନିଆ କହିଛନ୍ତି ଯେ କଳାଧନ ଆସିଲା ନାହିଁ କି ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମିଳିନାହିଁ। ଦେଶରେ ବେକାରୀ ବଢ଼ିଛି ଏବଂ କର୍ମନିଯୁକ୍ତି ହ୍ରାସ ପାଇବାରେ ଲାଗିଥିବାରୁ ଲୋକେ ଏହି ସରକାରକୁ ପ୍ରତ୍ୟାଖ୍ୟାନ କରିବେ । କେବଳ ନେହରୁ ଗାନ୍ଧୀ ପରିବାରର ବ୍ୟକ୍ତି କଂଗ୍ରେସର ନେତୃତ୍ୱ ନେବା ପରମ୍ପରା ଭାଙ୍ଗିବ ବୋଲି ଏହି କାର୍ଯ୍ୟକ୍ରମରେ ସୋନିଆ କହିଛନ୍ତି। ଭବିଷ୍ୟତରେ ପରିବାର ବାହାର ବ୍ୟକ୍ତି କଂଗ୍ରେସର ସଭାପତି ଦାୟିତ୍ୱ ତୁଲାଇବେ ଏବଂ କେବଳ ଗାନ୍ଧୀ ପରିବାରକୁ ନେଇ କଂଗ୍ରେସ ଚାଲିନାହିଁ ବୋଲି ସେ କହିଛନ୍ତି। ୨୦୦୪ରେ ସେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ଚାହିଥିଲେ ଏବଂ ମନମୋହନ ତାଙ୍କଠାରୁ ଏହି ପଦ ପାଇଁ ଅଧିକ ଯୋଗ୍ୟ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲିି ସୋନିଆ କହିଛନ୍ତି। ଭବିଷ୍ୟତରେ କଂଗ୍ରେସର ନେତୃତ୍ୱ ନେବାପାଇଁ ଗାନ୍ଧୀ ପରିବାର ବାହାରୁ କାହାକୁ ଚୟନ କରାଯିବ କି ବୋଲି ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ନେହରୁ ଗାନ୍ଧୀ ପରିବାର ବାହାରର ବ୍ୟକ୍ତି ବି କଂଗ୍ରେସର ନେତୃତ୍ୱ ଭବିଷ୍ୟତରେ ନେବେ ଏବଂ କଂଗ୍ରେସ କୌଣସି ଗାନ୍ଧୀଙ୍କ ବ୍ୟତୀତ ବି ବଞ୍ଚିପାରିବ ।ଦେଶ ବିଦେଶରେ ଚାଲିଥିବା ବଂଶଗତ ରାଜନୀତି ସଂପର୍କରେ ସୋନିଆ ଉଦାହରଣ ଦେଇ କହିଥିଲେ ଯେ କଂଗ୍ରେସ କୌଣସି ଭୁଲ୍‌ ପରମ୍ପରା ଦ୍ୱାରା ପରିଚାଳିତ ହେଉନାହିଁ ଏବଂ ଗଣତନ୍ତ୍ରକୁ ସର୍ବଦା ସମ୍ମାନ ଦେଉଛି।

ସମ୍ବନ୍ଧିତ ଖବର