ସାମ୍ବାଦିକାଙ୍କ ପ୍ରଶ୍ନରେ ରାଗିଗଲେ ରାଷ୍ଟ୍ରପତି ଟ୍ରମ୍ପ; ‘ମୋତେ ନୁହେଁ ଚୀନ୍‌କୁ ପଚାର’ କହି ମଝିରୁ ଉଠି ଚାଲିଗଲେ: ଭିଡିଓ ହେଲା ଭାଇରାଲ

ନ୍ୟୁୟର୍କ/ ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହ୍ଵାଇଟ୍‌ ହାଉସ୍‌ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇପଡ଼ି ମଝିରୁ ସାମ୍ବାଦିକ ସମ୍ମଳନୀ ଛାଡ଼ି ପଳାଇଯିବା ଘଟଣାକୁ କେନ୍ଦ୍ରକରି ବିଶ୍ୱବ୍ୟାପୀ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ପୂରା ଘଟଣାକ୍ରମର ଭିଡିଓ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

‘ଦ ଗାର୍ଡିଆନ୍‌’ରେ ପ୍ରକାଶିତ ରିପୋର୍ଟ ମୁତାବକ ସଂପ୍ରତି ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ସ୍ଥିତି ସଂପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇଥିଲା। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସିବିଏସ୍‌ ନ୍ୟୁଜ୍‌ର ଜନୈକା ସାମ୍ବାଦିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚାରିଥିଲେ, ‘ଆପଣ ବରାବର କହି ଆସୁଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଆମେରିକା ଯଥେଷ୍ଟ ଆଗରେ ରହିଛି। ଯେତେବେଳେ କି ଆମେରିକାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆମେରିକୀୟ କରୋନାରେ ଆକ୍ରାନ୍ତ ହୋଇ ଦୟନୀୟ ଭାବେ ପ୍ରାଣ ହରାଉଛନ୍ତି।’ ‘ଏହାକୁ ଆପଣ କ’ଣ ବିଶ୍ୱ ସ୍ତରରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ବୋଲି ଭାବୁଛନ୍ତି କି’? ପ୍ରଶ୍ନ କରିଥଲେ ସାମ୍ବାଦିକା।

The Guardian

ତେବେ, ସିବିଏସ୍‌ ନ୍ୟୁଜ୍‌ର ସାମ୍ବାଦିକାଙ୍କ ଏହି ପ୍ରଶ୍ନକୁ ଶୁଣିବା ପରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଉଚ୍ଚା ଗଳାରେ ରାଗ ତମତମ ହୋଇ କହିଥିଲେ, ‘ଏ ପ୍ରଶ୍ନ ମୋତେ ନୁହେଁ; ଚୀନ୍‌କୁ ପଚାର’! ଏବଂ ସେଇ ଅବସ୍ଥାରେ ସାମ୍ବାଦିକ ସମ୍ମିଳନୀ ମଝିରୁ ଉଠି ହ୍ଵାଇଟ୍‌ ହାଉସ ଭିତରକୁ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର