‘ନିଓକୋଭ୍’ ନେଇ ଅଯଥା ଡରାଅନି: ବିଶେଷଜ୍ଞ
ବର୍ତ୍ତମାନ ସ୍ଥିତିରେ ମଣିଷ ଦେହକୁ ଆସି ପାରିବ ନାହିଁ, ନିଓକୋଭ୍ ପ୍ରଜାତି ଉପରେ ଭାରତର ନଜର ରହିବ
ନୂଆଦିଲ୍ଲୀ : ଏକ ନୂଆ ପ୍ରକାର ଭୂତାଣୁ ‘ନିଓକୋଭ୍’ ବିଷୟରେ ଦୁଇଦିନ ହେଲା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଭୂତାଣୁ ପ୍ରତି ତିନି ଜଣରେ ଜଣକୁ ମାରିଦେଇପାରେ ଏବଂ ଏହା ଅତ୍ୟନ୍ତ ସଂକ୍ରାମକ ବୋଲି ମଧ୍ୟ କୁହାଯାଇଛି। ଏହି ଭୂତାଣୁ ଦକ୍ଷିଣ ଆଫ୍ରିକାରେ ବାଦୁଡ଼ିଠାରୁ ମିଳିଥିଲା ଏବଂ ଏହା ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି। ତେବେ ଏ ଖବରଟି ଚୀନ୍ର ଗବେଷଣା ସନ୍ଦର୍ଭକୁ ଭିତ୍ତି କରି ଲେଖାଯାଇଛି ଏବଂ ଏହା ଉପରେ ବୈଜ୍ଞାନିକ ସମୀକ୍ଷା କରାଯାଇ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଏହାକୁ ନେଇ ଅଯଥା ଭୟ ସୃଷ୍ଟି କରାଯାଉଛି ଏବଂ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଭୂତାଣୁ ବିଶେଷଜ୍ଞମାନେ ମତ ରଖିଛନ୍ତି।
ନିଓକୋଭ୍ ଭୂତାଣୁ ହେଉଛି ୨୦୧୨ରେ ମିଡ୍ଲ ଇଷ୍ଟ ରେସ୍ପିରେଟୋରି ସିଣ୍ଡ୍ରୋମ୍ (ମର୍ସ) ସୃଷ୍ଟି କରିଥିବା କରୋନା ଭୂତାଣୁ (ମର୍ସକୋଭ୍)ର ଅନୁରୂପ। ଚାଇନିଜ୍ ଗବେଷକମାନେ ଦର୍ଶାଇଛନ୍ତି ଯେ ନିଓକୋଭ୍ର ଏକ ରିସେପ୍ଟର ଅଛି ଯାହା ମର୍ସକୋଭ୍ର ଅନୁରୂପ। ଏହା ବାଦୁଡ଼ିର ଏସିଇ୨
ରିସେପ୍ଟର ବ୍ୟବହାର କରିଥାଏ କିନ୍ତୁ ଏହା କୌଣସି ମ୍ୟୁଟେସନ ବିନା ମଣିଷର ଏସିଇ୨ ରିସେପ୍ଟର ବ୍ୟବହାର କରିପାରିବ ନାହିଁ। ମହାରାଷ୍ଟ୍ର ଷ୍ଟେଟ୍ କୋଭିଡ୍-୧୯ ଟାସ୍କଫୋର୍ସର ସଦସ୍ୟ ଡ. ଶଶାଙ୍କ ଯୋଶୀ ଟ୍ବିଟ୍ ଜରିଆରେ କହିଛନ୍ତି ଯେ ନିଓକୋଭ୍ ବାଦୁଡ଼ିଠାରେ ମିଳିଛି ଏବଂ ଏହା କେବେହେଲେ ମଣିଷକୁ ସଂକ୍ରମିତ ହୋଇ ନାହିଁ। ଏହା ମର୍ସକୋଭ୍ର ନିକଟତର ହୋଇଥିବାରୁ ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ଅନୁମାନ କରି କୁହାଯାଇଛି।

ମର୍ସକୋଭ୍ ଏକ ମାରାତ୍ମକ ଭୂତାଣୁ ଏବଂ ଅତୀତରେ ଏହା ଯୋଗୁ ମଧ୍ୟପ୍ରାଚ୍ୟର ବହୁ ଲୋକ ମରିଛନ୍ତି। କିନ୍ତୁ ଏହା ମହାମାରୀ (ପାନଡେମିକ୍) କରିନାହିଁ। ଯେତେବେଳେ ଯେଉଁ ଭୂତାଣୁ ଆବିଷ୍କୃତ ହେଲା ତାହା ଯେ ମହାମାରୀ ରଚିବ ସେମିତି କିଛି କଥା ନାହିଁ। ପ୍ରାଣୀ ଦେହରୁ ମଣିଷକୁ ସଂକ୍ରମିତ ହେଉଥିବା ଅଣୁଜୀବଗୁଡ଼ିକ ଉପରେ ନଜର ରଖାଯାଉଛି। ଆମେ ସତର୍କ ରହିବା ଭଲ ମାତ୍ର ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ନିଓକୋଭ୍ ବାଦୁଡ଼ି ଦେହରୁ ମଣିଷ ଦେହକୁ ଆସି କୌଣସି ରୋଗ ସୃଷ୍ଟି କରିବାର ଆଶଙ୍କା ନାହିଁ। ଗବେଷକମାନେ ସ୍ପଷ୍ଟ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଏହି ଭୂତାଣୁ ମଣିଷ ଦେହକୁ ଆସିପାରିବ ନାହିଁ। ତେବେ ଯଦି ଏହି ଭୂତାଣୁଠାରେ କୌଣସି ମ୍ୟୁଟେସନ ସୃଷ୍ଟି ହୁଏ ତେବେ ଏହା ମଣିଷକୁ ସଂକ୍ରମିତ ହୋଇପାରେ। ଏହା କେବଳ ବିଜ୍ଞାନାଗାର ଗବେଷଣାର ବସ୍ତୁ। ଏହାକୁ ନେଇ କେହି ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
ଭାରତ ଏଭଳି ପ୍ରଜାତି ଉପରେ ସତର୍କ ନଜର ରଖିଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର ମହାମାରୀ ରୋଗ ବିଭାଗର ମୁଖ୍ୟ ଡ. ସମୀରଣ ପଣ୍ଡା କହିଛନ୍ତି। ଏହି ପ୍ରଜାତି ଦ୍ବାରା ଭାରତ ତଥା ବିଶ୍ବ ପ୍ରତି କିଭଳି ବିପଦ ରହିଛି ସେ ସଂପର୍କରେ ଏବେଠାରୁ କିଛି କହିହେବ ନାହିଁ ବୋଲି ଡ. ପଣ୍ଡା ‘ଦ ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍’କୁ କହିଛନ୍ତି। ଏ ପର୍ଯ୍ୟନ୍ତ ଏହି ଭୂତାଣୁ ମାନବ ଦେହରେ ସଂକ୍ରମିତ ହେବାନେଇ ରିପୋର୍ଟ ନଥିବାରୁ ଏ ବାବଦରେ ଅଧିକ ଗବେଷଣା ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ।