ଜମ୍ମୁକଶ୍ମୀର ଲୋକଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, ଗୁଜବରେ ବିଶ୍ବାସ କରନାହିଁ

ଜମ୍ମୁ: ପୁଲଵାମା ଆକ୍ରମଣ ପରେ ଜମ୍ମୁ କଶ୍ମୀରବାସୀଙ୍କ ମନରେ ଉଙ୍କି ମାରିଥିବା ସମ୍ଭାବ୍ୟ ଯୁଦ୍ଧ ମାନସିକତାକୁ ଦୂରେଇବା ପାଇଁ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିର କଟା ଘାରେ ଚୂନ ଦେଲା ଭଳି ବ୍ୟାପୁଥିବା ଉଡ଼ାକଥା ବା ଗୁଜବରେ ଲୋକେ ବିଶ୍ବାସ ନ କରି ଶାନ୍ତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। କେଉଁଠି କର୍ଫ୍ୟୁ ଏବଂ କେଉଁଠି ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ହେଉଥିବା ଆଶଙ୍କା ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରାଯାଉଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ। ସେସବୁ ଅଯଥାରେ ଲୋକଙ୍କୁ ଆତଙ୍କିତ କରି ରଖିବା ସହ କଶ୍ମୀର ଉପତ୍ୟକାରେ ଶାନ୍ତି ଭଙ୍ଗ କରିବାରେ ଲାଗିଛି। ଏହାଦ୍ବାରା ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନରେ ନକାରାତ୍ମକ ପ୍ରଭାବ ପକାଇବା ସହ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟରେ ପହଞ୍ଚିଥିବା ବ୍ୟାପକ ସଂଖ୍ୟକ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ସମ୍ପର୍କରେ ମଧ୍ୟ ରାଜ୍ୟପାଳ ସଫେଇ ଦେଇଛନ୍ତି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପରିସ୍ଥିତି ସହ ଖାର ଖୁଆଇବା ଲାଗି ନିୟମିତ ପ୍ରସ୍ତୁତି ଅଭ୍ୟାସ ସ୍ବରୂପ ଏହି ଅର୍ଦ୍ଧସାମରିକ ବଳ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ବଡ଼ି ଭୋର୍ ସମୟରେ କଶ୍ମୀର ଆକାଶରେ ଉଡୁଥିବା ବାୟୁସେନା ବିମାନଗୁଡ଼ିକ ମଧ୍ୟ ନିୟମିତ ଅଭ୍ୟାସର ଅଂଶବିଶେଷ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ପୁଲଵାମା ଆକ୍ରମଣ ପରି ଅପ୍ରତ୍ୟାଶିତ ଅଘଟଣର ପୁନରାବୃତ୍ତି ନହେବା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାତ୍ର ଏଥିରେ ରାଜ୍ୟବାସୀ ଭିନ୍ନ କଥା ଭାବି ଅଯଥାରେ ଉତ୍ତେଜିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟ ବାହାରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା କଶ୍ମୀରୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ସତ୍ୟ ପାଲ କହିଛନ୍ତି।

ସମ୍ବନ୍ଧିତ ଖବର