ନୂଆଦିଲ୍ଲୀ: ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ-ବ୍ରିଟେନ୍ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ମୋଦୀଙ୍କ ବିଦେଶ ଗସ୍ତ ସମୟରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖୁଥିବା ସମୟରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହାକୁ ନେଇ ବଡ଼ ଚର୍ଚ୍ଚା ହେଉଛି । କାରଣ ଇଂରାଜି ଭାଷାର ଅନୁବାଦ କରୁଥିବା ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ହିନ୍ଦୀରେ ଅନୁବାଦ କରୁଥିବା ବେଳେ ହଠାତ୍ ରହିଗଲେ। ଆଉ ସେଠାରେ ଉପସ୍ଥିତ ଥିବା ମୋଦୀ ଆଶ୍ୱାସନା ଦେଇ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମଝିରେ ମଝିରେ ଇଂରାଜି ଶବ୍ଦ ବ୍ୟବହାର କରିପାରିବେ । ବାସ୍…ମୋଦୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ଏହି ଘଟଣାଟି ଭାରତ ଓ ବ୍ରିଟେନ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହେବା ପରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘଟିଥିଲା । ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାରମର ଯେତେବେଳେ ନିଜର ଅଭିଭାଷଣ ରଖୁଥିଲେ, ସେହି ସମୟରେ ଜଣେ ମହିଳା ଅନୁବାଦକ ତାହାକୁ ଇଂରାଜୀରୁ ହିନ୍ଦୀରେ ଅନୁବାଦ କରୁଥିଲେ । କିନ୍ତୁ କିଛି ସମୟ ପରେ ସେ ଅନୁବାଦ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେ ଅଟକି ଯାଇଥିଲେ । ତେବେ ଏହି ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ହସ୍ତକ୍ଷେପ କରିଥିଲେ । ସେ ଅନୁବାଦକଙ୍କୁ କହିଥିଲେ, କୌଣସି ଅସୁବିଧା ନାହିଁ । ଆପଣ ମଝିରେ ଇଂରାଜୀ ଶବ୍ଦ ବ୍ୟବହାର କରିପାରିବେ । ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଏହି ଆଶ୍ୱାସନା ପରେ ଅନୁବାଦକ ଜଣକ କ୍ଷମା ମାଗିଥିଲେ, କିନ୍ତୁ ମୋଦୀ ପୁଣି ଥରେ ତାଙ୍କୁ "କୌଣସି ସମସ୍ୟା ନାହିଁ" କହି ସାନ୍ତ୍ୱନା ଦେଇଥିଲେ ।
ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି କଥାକୁ ପ୍ରଶଂସା କରାଯାଉଛି । ଭାଷାଗତ ବାଧା ସତ୍ତ୍ୱେ ସେ କିପରି ଭାବରେ ପରିସ୍ଥିତିକୁ ସମ୍ଭାଳି ନେଲେ ଏବଂ ଅନୁବାଦକଙ୍କୁ ସମ୍ମାନର ସହିତ ଆଶ୍ୱସ୍ତ କଲେ, ତାହା ଅନେକଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ସ୍ୱାକ୍ଷରିତ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଯାହା ଦ୍ୱାରା ବାର୍ଷିକ ବାଣିଜ୍ୟ ପ୍ରାୟ ୩୪ ବିଲିୟନ ଡଲାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ, କୂଟନୈତିକ ସମ୍ପର୍କରେ ମାନବିକତାର ମହତ୍ତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/25/new-project-2-2025-07-25-18-26-34.jpg)