ଭୁଲରେ ବି ବିଜେପିକୁ କ୍ଷମତାକୁ ଆଣିବନି, ଦିଲ୍ଲୀ ନର୍କ ହୋଇଯିବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତାମାସ ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ୨୫୦ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ଉତ୍ତର ଦିଲ୍ଲୀ ନଗର ନିଗମ, ଦକ୍ଷିଣ ଦିଲ୍ଲୀ ନଗର ନିଗମ ଏବଂ ପୂର୍ବ ଦିଲ୍ଲୀ ନଗର ନିଗମ ପାଇଁ ନିର୍ବାଚନ ହେଉଥିଲା। ଏଥର କେନ୍ଦ୍ର ସରକାର ତିନୋଟି ନିଗମକୁ ଏକତ୍ରୀକରଣ କରି ମହାନଗର ନିଗମ ଗଠନ କରିଛନ୍ତି। ଏମସିଡି ନିର୍ବାଚନରେ ବିଜେପି, ଆମ ଆଦମୀ ପାର୍ଟି ଏବଂ କଂଗେସର ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତିନି ଦଳ ଦ୍ବାରା ପ୍ରଚାର ଅଭିଯାନ ଜୋରସରରେ ଆରମ୍ଭ ‌ହୋଇଛି।‌ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଚାର ଆରମ୍ଭ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

ପ୍ରଚାର ସମୟରେ କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଦିଲ୍ଲୀ ମହାନଗର ନିଗମରେ ୧୫ବର୍ଷ ଧରି କ୍ଷମତାରେ ରହି କ’ଣ କାମ କରିଛି ମୋତେ କୁହନ୍ତୁ। ଆପ୍ କ’ଣ କାମ କରିଛି ତାହା ମଧ୍ୟ ମୋତେ କୁହନ୍ତୁ। ଏହି ପ୍ରଶ୍ନ ଶୁଣି ଜଣେ ମହିଳା କହିଥିଲେ ଆପ୍ ଭଲ ସ୍କୁଲ ନିର୍ମାଣ କରିଛି। ଏହା ଶୁଣୁ ଶୁଣୁ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ଆମେ ଭଲ ସ୍କୁଲ ଏବଂ ଡାକ୍ତରଖାନା କରିଛୁ। ମହିଳାମାନଙ୍କ ପାଇଁ ବସ୍ ଭଡ଼ା ଛାଡ କରିଛୁ। ଦିଲ୍ଲୀରେ ଅଳିଆ ଉଠାଇବା ବିଜେପିର ଦାୟିତ୍ବ। ହେଲେ ତାହା ହେଉ ନାହିଁ। ଆମ୍ ଆଦମୀ ପାର୍ଟିକୁ ଏକ ସୁଯୋଗ ଦିଅନ୍ତୁ, ବିଦ୍ୟୁତ୍ ଓ ପାଣି ମାଗଣା କରିବା ଭଳି ଆମେ ଦିଲ୍ଲୀକୁ ପରିଷ୍କାର କରିବୁ। ଦିଲ୍ଲୀ ଏମସିଡିରେ ଆମ ସରକାର ଗଠନ ହେବାକୁ ଯାଉଛି। ଆପଣମାନେ ଦିଲ୍ଲୀର ୭୦ଟି ସିଟ୍ ମଧ୍ୟରୁ ଆମକୁ ୬୭ଟି ସିଟ୍ ଦେଇଥିଲେ। ସେହିଭଳି, ମୁଁ ଏମସିଡିର ୨୫୦ଟି ସିଟ୍ ମଧ୍ୟରୁ ୨୩୦ ସିଟ୍ ହାତେଇବାକୁ ଚାହୁଁଛି। ଦିଲ୍ଲୀରେ ଆମ ସରକାର ଅଛି। ଏମସିଡିରେ ମଧ୍ୟ ଆମର ସରକାର ହେବା ଉଚିତ୍। ଯଦି ଭୁଲରେ ବି ବିଜେପି ଜିତିଗଲା ତେବେ ଦିଲ୍ଲୀ ନର୍କ ହୋଇଯିବ।

ସମ୍ବନ୍ଧିତ ଖବର